ଆଜାଦନଗର ବୋମା ବିସ୍ଫୋରଣ: ଉତ୍ତର ପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ମିଳିଛି ବଡ଼ ସଫଳତା। ଘଟଣାର ୭ ମାସ ପରେ ଏହି ମାମଲାରେ ସଂପୃକ୍ତ ଜଣେ ଫେରାର ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି NIA। ଗିରଫ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ରୋହନ ରଞ୍ଜନ ରାଉତରାୟ ଓରଫ୍ ସାନୁ ବୋଲି ଜଣାପଡ଼ିଛି। ଗିରଫ ବେଳେ ସାନୁ ନିକଟରୁ ମୋବାଇଲ୍‌ ଫୋନ୍‌ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ରୋହନର ସିଧାସଳଖ ହାତ ଥିବା ନେଇ NIA ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ସଂଗୀନ ମାମଲାରେ ରୋହନର ପ୍ରକୃତ ଭୂମିକା କ’ଣ ଥିଲା, ସେ ନେଇ NIA ପକ୍ଷରୁ ସ୍ପଷ୍ଟ ଭାବେ କିଛି ପ୍ରକାଶ କରାଯାଇ ନାହିଁ। ବିସ୍ଫୋରଣ ଘଟଣା ପରଠାରୁ ହିଁ ରୋହନ ଗିରଫଦାରୀ ଏଡ଼ାଇବା ପାଇଁ ଉତ୍ତର ପ୍ରଦେଶ ପଳାଇ ସେଠାରେ ଆତ୍ମଗୋପନ କରିଥିଲା। ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ NIA ଟିମ୍‌ ଉତ୍ତର ପ୍ରଦେଶରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି। ଏହି ବହୁଚର୍ଚ୍ଚିତ ମାମଲାରେ NIA ନିଜର ଛାନଭିନ ପ୍ରକ୍ରିୟା ଅଧିକ ଜୋରଦାର କରିଛି। ଆଗାମୀ ଦିନରେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ କିଛି ଅଭିଯୁକ୍ତ ମଧ୍ୟ ଗିରଫ ହେବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button