କାଲିଠାରୁ ଘର ଘର ବୁଲିବେ ବିଏଲ୍ଓ: ଭୋଟର ତାଲିକା ସଂଶୋଧନ ନେଇ ସିଇଓଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ (SIR) ବା ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି, ଯାହା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘର ଘର ବୁଲି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବେ ବୋଲି ସିଇଓ ସୂଚନା ଦେଇଛନ୍ତି। ସିଇଓଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୩ କୋଟି ୧୬ ଲକ୍ଷ ୩୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ପ୍ରକ୍ରିୟା ଶେଷ ହୋଇଛି। ତେବେ ଯାଞ୍ଚ ସମୟରେ ପ୍ରାୟ ୧୭ ପ୍ରତିଶତ ‘ଲଜିକାଲ୍ ଏରର୍’ (Logical Error) ବା ବ୍ୟାକରଣଗତ ଓ ବୈଷୟିକ ତ୍ରୁଟି ସାମ୍ନାକୁ ଆସିଛି। ଏହି ସମସ୍ତ ତ୍ରୁଟିକୁ ବିଏଲ୍ଓମାନେ ଘରକୁ ଘର ବୁଲି ସଂଶୋଧନ କରିବେ। ସାଧାରଣ ଜନତା ମଧ୍ୟ ଏହି ସମୟରେ ବିଏଲ୍ଓଙ୍କ ଜରିଆରେ ନିଜ ଭୋଟର ଆଇଡି କାର୍ଡର ସଂଶୋଧନ କରାଇପାରିବେ।



