ଛାତ୍ରୀ ମୃତ୍ୟୁ ପ୍ରତିବାଦ: ବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ସମର୍ଥନ ଜଣାଇଲା କଂଗ୍ରେସ

ଭୁବନେଶ୍ବର: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ମୟୂରଭଞ୍ଜ ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ବିଜେଡି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରାର ପ୍ରଭାବ ଆଜି ସକାଳୁ ଦେଖିବାକୁ ମିଳିଛି। କଂଗ୍ରେସ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ଉଭୟ ଦଳର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବନ୍ଦ ଯୋଗୁଁ ଜିଲ୍ଲାର ଚାରୋଟି ସବ୍‌ଡିଭିଜନ— ବାରିପଦା, ଉଦଳା, କରଞ୍ଜିଆ ଏବଂ ରାଇରଙ୍ଗପୁରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।  ବସ୍, ଟ୍ରକ ଓ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୧୮ ନଂ, ୪୯ ନଂ ଏବଂ ୨୨୦ ନଂ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। କେବଳ ଡାକ୍ତରଖାନା ଓ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଆଜି ସକାଳୁ ବିଜେଡି ଏବଂ କଂଗ୍ରେସ ସମର୍ଥକମାନେ ବିଭିନ୍ନ ଛକରେ ପିକେଟିଂ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଗତକାଲି ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା। ଯାତ୍ରୀମାନେ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଅଟକି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଅଘଟଣ ଆଶଙ୍କାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button