ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଯୋଗୀ ହେବ ଏନଏସଏଫ

ନୂଆଦିଲ୍ଲୀ: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଏସ୍ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ(ଏନଏସଏଫ) ଇଚ୍ଛା ପ୍ରକାଶ କରିଛି । ମଙ୍ଗଳବାର ନୂଆଦିଲ୍ଲୀଠାରେ ଏନ୍‌ଏସ୍‌ଏଫ୍‌ର ନିର୍ଦ୍ଦେଶକ ଡ଼ ସେଥୁରମଣ ପଞ୍ଚନାଥନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି । ଏହି ଆଲୋଚନା କାଳରେ ଉଭୟ ପକ୍ଷର ବିଭିନ୍ନ କ୍ଷେତ୍ରରେ ଥିବା ଆଗ୍ରହ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ଏସଟିଇଏମ ଶିକ୍ଷା ତଥା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ତଥା ଚାହିଦା ଥିବା ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ବୈଠକରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଶକ୍ତି ହେଉଛି ଯୁବବର୍ଗ ଏବଂ ଏକ ସୁଦୃଢ଼ ଜ୍ଞାନର ମୂଳଦୁଆ । ଦେଶର କୋଣ ଅନୁକୋଣରେ ଥିବା ଶିକ୍ଷାନୁଷ୍ଠାନରେ ଅନେକ ପ୍ରତିଭା ରହିଛି ଏବଂ ଏହି ପ୍ରତିଭାକୁ ଚିହ୍ନି ଆଗକୁ ନେବାର ଆବଶ୍ୟକତା ରହିଛି । ଏହି ଦିଗରେ ଦେଶରେ ଥିବା ଏନ୍‌ଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟଙ୍କ ସହ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଏନ୍‌ଏସ୍‌ଏଫ୍‌କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଶିକ୍ଷା କ୍ଷେତ୍ର, ଔପଚାରିକ ଏବଂ ଅନୌପଚାରିକ ଦକ୍ଷତା କ୍ଷେତ୍ର ସହ ସଂଶ୍ଲିଷ୍ଟ ଥିବା ଯୁବ ବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶର ସମାନ ସୁଯୋଗ ପ୍ରଦାନ କରିବା ହେଉଛି ଆମ ସରକାରର ପ୍ରାଥମିକତା ଏବଂ ଦାୟିତ୍ୱ । ଏନଏସଏଫ ସହ କାର୍ଯ୍ୟ କରିବା ପାଇଁ ଏକ ଫ୍ରେମୱାର୍କ ପ୍ରସ୍ତୁତ କରିବାକୁ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ଶିକ୍ଷା ପରିଷଦ(ଏଏଆଇସିଟିଇ)କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପଞ୍ଚନାଥନ କହିଛନ୍ତି ଯେ ଭାରତ ଭଳି ଆମେରିକା ସରକାର ମଧ୍ୟ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଗୁରୁତ୍ୱ ଦେଉଛି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏନଏସଏ ଭାରତରେ ଥିବା ଶିକ୍ଷାନୁଷ୍ଠାନ ସହ ସହଭାଗୀ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରିବ ।

Related Articles

Leave a Reply

Your email address will not be published.

Back to top button