ପଲାସା ଓ ଇଚ୍ଛାପୁରମ ଜୋନ ବିବାଦକୁ ନେଇ ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳପଥ

ଭୁବନେଶ୍ବର:ପଲାସା ଓ ଇଚ୍ଛାପୁରମ୍ ଦକ୍ଷିଣ ତଟ ରେଲୱେ ଜୋନରେ ମିଶିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯିବା ପରେ ତେଜିଛି ବିବାଦ । ପଲାସା ଓ ଇଚ୍ଛାପୁରମକୁ ପୂର୍ବତଟରୁ କାଢି ଦକ୍ଷିଣତଟ ରେଳବାଇରେ ସାମିଲ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେଡି ପକ୍ଷରୁ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରାୟାଇଥିଲା । ଏହାର ପ୍ରତିବାଦରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଏହି ବିରୋଧାଭାସ ପରେ ପୂର୍ବତଟ ରେଳପଥ ସ୍ପଷ୍ଟୀକରଣ ରଖିଛି । ଏ ସମ୍ବନ୍ଧରେ ପ୍ରକୃତ ସ୍ଥିତି ନିମ୍ନରୂପେ ସ୍ପଷ୍ଟ କରିଛି ପୂର୍ବତଟ ରେଳପଥ। ପଲାସା-ଇଚ୍ଛାପୁରମ୍ ସେକ୍ସନ୍ (50 କିଲୋମିଟର) ରେ ପଲାସା, ସୁମ୍ମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ଭଳି ୭ ଟି ଷ୍ଟେସନ୍ ରହିଛି। ଏହି ସମସ୍ତ ଷ୍ଟେସନ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ଏହି ଷ୍ଟେସନ୍ଗୁଡ଼ିକ ମଧ୍ୟରୁ କୌଣସିଟି ଓଡ଼ିଶା ମଧ୍ୟରେ ଅବସ୍ଥିତ ନୁହେଁ। ଏହି ଷ୍ଟେସନ୍ଗୁଡ଼ିକ ଛୋଟରୁ ମଧ୍ୟମ ଶ୍ରେଣୀର ଷ୍ଟେସନ୍ ଯାହା ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ । ଏଥି ମଧ୍ୟରୁ କୌଣସି ଷ୍ଟେସନ୍ ପ୍ରମୁଖ ମାଲ ପରିବହନର କେନ୍ଦ୍ର ନୁହେଁ। ପୂର୍ବ ତଟ ରେଳପଥର ରାଜସ୍ୱରେ ଏହାର କୌଣସି ପ୍ରଭାବ ନାହିଁ। ଷ୍ଟେସନଗୁଡ଼ିକ ଯେ କୌଣସି ରେଳ ଜୋନ ପରିସୀମାରେ ରହିଲେ ମଧ୍ୟ ପାସ-ଥ୍ରୁ ପଣ୍ୟ ପରିବହନ ( ଏହି ଷ୍ଟେସନଗୁଡ଼ିକ ଦେଇ ଯାଉଥିବା ଟ୍ରେନ୍ ) ନିରବଚ୍ଛିନ୍ନ ଭାବରେ ଜାରି ରହିବ। କ୍ଷେତ୍ରୀୟ ସୀମାରେଖା ମଧ୍ୟରେ ରେଳ ଚଳାଚଳ ନିରବିଚ୍ଛିନ୍ନ ଭାବେ ଜାରି ରହିଛି। ଏହା ଦ୍ୱାରା ଟ୍ରେନ୍ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ୍ ଯଥା ପଲାସା –ଭୁବନେଶ୍ୱର, ପଲାସା– କଟକ ଏବଂ ଇଚ୍ଛାପୁରମ୍– କଟକ ମେମୁ/ ଯାତ୍ରୀବାହୀ ଟ୍ରେନ ଗୁଡିକର ସମୟସୂଚୀ କିମ୍ବା ମାର୍ଗରେ କୌଣସି ପରିବର୍ତ୍ତନ ବିନା ପୂର୍ବବତ୍ ଚାଲୁ ରହିବ।



