ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, କୃଷି ଋଣ ଛାଡ ପାଇଁ କୋଟି କୋଟି ଟଙ୍କା ଆତ୍ମସାତ

କେନ୍ଦ୍ରାପଡା / ରାଜକନିକା : ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଚାଷୀଙ୍କୁ କୃଷି ଋଣ ସହାୟତା ପ୍ରଦାନ କରନ୍ତି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ | ଏହି କୃଷି ଋଣ ଜିଲ୍ଲାରେ ଥିବା ବ୍ଲକ କାର୍ଯ୍ୟାଳୟଗୁଡ଼ିକ ମାଧ୍ୟମରେ ବଣ୍ଟନ କରାଯାଇଥାଏ | ଚାଷୀଙ୍କୁ ବିଭିନ୍ନ ପ୍ରକାର ଚାଷ ପାଇଁ ଯଥା- ରବି ଫସଲ ଓ ଖରିଫ୍ ଫସଲ ପାଇଁ ଅର୍ଥ ଯୋଗାଇ ଦିଆଯାଇଥାଏ | ରାଜ୍ୟ ସରକାରଙ୍କ କୃଷି ସେବା ସମବାୟ ସମିତି ତରଫରୁ ରାଜ୍ୟରେ ଗରିବ କୃଷକ ମାନଙ୍କ କୃଷି ଭିତ୍ତିକ ଉନ୍ନତି ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ | କିନ୍ତୁ କୃଷି ସେବା ସମବାୟ ସମିତିର ଆର୍ଥିକ ଘୋଟାଲା ଏବେ ସର୍ବସାଧାରଣଙ୍କ ସାମ୍ନାକୁ ଆସିଛି | ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ |

ରାଜକନିକା ବ୍ଲକ ଦେଉଳି କୃଷି ସେବା ସମବାୟ ସମିତି ସହ ଅନ୍ୟାନ୍ୟ ସେବା ସମବାୟ ସମିତି ମାଧ୍ୟମରେ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ ର ରାଜକନିକା ଶାଖାର ପୂର୍ବତନ ପରିଚାଳକ ସ୍ବର୍ଗତ ଅଜାମ୍ବର ବିଶ୍ୱାଳ ଏବଂ ତାଙ୍କ ପରେ ରଞ୍ଜିତ ଖିଲାରୀ ଗରିବ ଖଟିଖିଆ ଚାଷୀମାନଙ୍କର କୃଷି ଋଣ ଛାଡ ପାଇଁ ଥିବା କୋଟିକୋଟି ଟଙ୍କା ଆତ୍ମସାତ୍ କରିଛନ୍ତି | ଖାଲି ସେତିକି ନୁହେଁ ତାଙ୍କ ପରେ ଦେଉଳି କୃଷି ସେବା ସମବାୟ ସମିତି ର ସମ୍ପାଦକ ମୃତ୍ୟୁଜଂୟ ରାଉଳ ଓ ହରିହରପୁର ଶାସନ ଗ୍ରାମର ପ୍ରଭାତ ସମୀର ମିଶ୍ର ଏହି ଦୁଇ ଜଣ ଦୁଇ କୋଟି ଟଙ୍କାକୁ ସହକାରୀ କର୍ମଚାରୀମାନଙ୍କ ସହିତ ଆତ୍ମସାତ୍ କରିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଲୋକେ ଜଣାଇଛନ୍ତି |

 

୨୦୧୬ ରୁ ୨୦୧୮-୧୯ ପର୍ଯ୍ୟନ୍ତ ଖରିଫ୍ ଫସଲର କୃଷି ଋଣ ଛାଡ ପାଇଁ ବିପୁଳ ପରିମାଣର ଟଙ୍କାକୁ ଚଳୁ କରିଦେଇଛନ୍ତି ଏମାନେ | ଏନେଇ ଦେଉଳି କୃଷି ସେବା ସମବାୟ ସମିତିର ସମସ୍ତ କୃଷି ଋଣଧାରୀ କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତତକ୍ଷଣାତ ଲିଖିତ ଅଭିଯୋଗ କରିଥିଲେ | ଜିଲ୍ଲାପାଳ ସମର୍ଥ ବର୍ମା ସେମାନଙ୍କର ଶାଖାର ପରିଚାଳକଙ୍କୁ ଡକାଇ ଉଚ୍ଚ ତଦନ୍ତ କରି ଦୋଷୀଙ୍କୁ ଚାକିରିରୁ ନିଳମ୍ବିତ କରିବା ସହ ଉକ୍ତ ଆତ୍ମସାତ୍ ଅର୍ଥକୁ ଚାଷୀଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ରାଜକନିକା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍ ର ନୁତନ ଶାଖାର ପରିଚାଳକ ରବିନ୍ଦ୍ର ସେନାପତିଙ୍କ ସହିତ ଦେଉଳି କୃଷି ସେବା ସମବାୟ ସମିତି ଓ ବରାଡିଆ କୃଷି ସେବା ସମବାୟ ସମିତିର ସମ୍ପାଦକ ବଂଶୀଧର ନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି | କିନ୍ତୁ ଏପର୍ଯ୍ୟନ୍ତ ଆତ୍ମସାତ ଅର୍ଥ ପୈଠ ହେଇନାହିଁ | ଚଳିତ ବର୍ଷର ଖରିଫ୍ ଫସଲ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ସାମିଲ କରିବା ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି | କୋଭିଡ୍ କଟକଣା ମାନି ରାଜକନିକା ବ୍ଲକ ଅଧିନସ୍ଥ ସମସ୍ତ କୃଷକ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷି ସେବା ସମବାୟ ସମିତିକୁ ଆସି ଆବେଦନ କରିଥିଲେ |

 

Related Articles

Leave a Reply

Your email address will not be published.

Back to top button