ଥାଇଲାଣ୍ଡରେ ଫସିଥିବା ୬ ଜଣ ଓଡ଼ିଆ ମଧ୍ୟରୁ ଓଡିଶା ଫେରିଲେ ୪ ଜଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଜଣ ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି । ଆଜି ୪ ଜଣ ଓଡ଼ିଆ ଯୁବକ ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜନ ସାହୁ ଓ ବିଜୟ କୁମାର ସ୍ୱାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଓଡ଼ିଶାର କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ୬ ଜଣ ଯୁବକ ବିଗତ ୨୦୨୫ ମସିହା ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ । ସେଠାରେ ଉକ୍ତ ପ୍ଲାଏଉଡ଼ କମ୍ପାନୀର ମାଲିକ ସେମାନଙ୍କୁ ଦରମା ଦେଉନଥିବାର ଅଭିଯୋଗ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାକୁ ଫେରି ଆସିବା ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏହି ସମ୍ବନ୍ଧରେ ଜାଣିବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ୪ ଜଣ ଓଡ଼ିଆ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି । ଆଜି ଓଡ଼ିଶାକୁ ଫେରିବାପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



