ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଜନସାଧାରଣଙ୍କ ବିଶ୍ୱାସ ବଢ଼ିଛି: ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଜଗତ୍ସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ଦ୍ୱାରା ତିର୍ତୋଲ ନିର୍ବାଚନମଣ୍ଡଳୀ ସମେତ ଜଗତ୍ସିଂହପୁର ଜିଲ୍ଲା ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଏବଂ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।



