ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ ଓ ଡିଜିପି

ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଏବଂ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବ୍ରହ୍ମପୁର ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନରେ ଡିଜିପି ବ୍ରହ୍ମପୁର ଗସ୍ତରେ ଆସି ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଥମେ ଏହି ଏୟାରଷ୍ଟ୍ରିପରେ ଅବତରଣ କରି ନିକଟସ୍ଥ ସଭା ସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଏୟାରଷ୍ଟ୍ରିପ ପରିସରରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କୁ ସୁଦୃଢ କରାଯିବା ସଂକ୍ରାନ୍ତରେ ଡିଜିପି ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଏଡାଇବାକୁ ସହରରେ ଥିବା ସମସ୍ତ ହୋଟେଲ ଓ ଲଜ୍ ଗୁଡ଼ିକୁ କଡାକଡି ତନଖି କରିବାକୁ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଏବଂ ଡିଜିପି ଶ୍ରୀ ଖୁରାନିଆ ବ୍ରହ୍ମପୁରସ୍ଥିତ ଏମକେସିଜି ହସପିଟାଲକୁ ଗସ୍ତ କରି SOGର ଆହତ ଯବାନ ପ୍ରେମ ସିଂ ମାଝୀଙ୍କୁ ସାକ୍ଷାତ କରିଥିଲେ। ମାଓବାଦୀ ଦମନ ଅଭିଯାନରେ ଯବାନ ଶ୍ରୀ ମାଝୀଙ୍କ ଅଦମ୍ୟ ସାହସକୁ ଡିଜିପି ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆଲୋଚନା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ମାଓ ଦମନରେ ତାଙ୍କ ଭୁମିକା ସଦା ସର୍ବଦା ଅତୁଳନୀୟ ହୋଇ ରହିବ ବୋଲି କହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଦୁଇ ଦିନ ତଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଯବାନ- ମାଓବାଦୀ ମୁହଁମୁହିଁ ହୋଇଥିବା ବେଳେ ପ୍ରେମ ସିଂ ମାଝୀ ଗୁରୁତର ଆହତ ହୋଇଥିଲେ। ଏହି ଅବସରରେ ବ୍ରହ୍ମପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଅନୁରୂପ ସମୀକ୍ଷା ବୈଠକ ଆୟୋଜିତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ଏସଡିପିଓ, ଅତିରିକ୍ତ ଏସପି ଏବଂ ମୁଖ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ଉଭୟ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ରେ ଯୋଗ ଦେଇ ଡିଜିପି ଆଇନ ଶୃଙ୍ଖଳା ପରିସ୍ଥିତି ଓ ଘଟୁଥିବା ଅପରାଧର ସମୀକ୍ଷା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button