ଏକାମ୍ର ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା କଲେ ପାଣ୍ଡିଆନ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ ଶେଷ କରିବାକୁ ଡେଡଲାଇନ। ଆଜି ସକାଳୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏକାମ୍ର ପ୍ରକଳ୍ପ ବୁଲିବା ସହ ଟିକିନିଖି ସମୀକ୍ଷା କରିଛନ୍ତି। ସକାଳ ସାଢେ ୬ରୁ ସାଢେ ୭ ଘଣ୍ଟାଏ କାଳ ପ୍ରକଳ୍ପ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାନିଟାରିୟମ ଛକ ନିକଟରେ ଉତ୍ତର ପଟରେ ବସ ପାର୍କିଂ, କାର ପାର୍କିଂ, ପର୍ୟ୍ୟଟନ ସୁବିଧା କେନ୍ଦ୍ର, ଭେଣ୍ଡିଂ ଜୋନ, ଲିଙ୍ଗରାଜ ପୋଲିସ ଷ୍ଟେସନ ଆଦି ସ୍ପଟ ବୁଲି ଦେଖିଥିଲେ। ସେଠାକାର ଦୋକାନୀ ଓ ଭେଣ୍ଡରଙ୍କ ପାଇଁ ମଧ୍ୟ ସୁବିଧା କରାଯିବ। ସେମାନଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବ। ଏହାପରେ ୫-ଟି  ଅଧ୍ୟକ୍ଷ କୋଟିତୀର୍ଥେଶ୍ବରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତାର ସମୀକ୍ଷା କରିବା ସହ ଜମି ଅଧିଗ୍ରହଣ ଏବଂ ଡ୍ରେନ ନିର୍ମାଣ ନେଇ ଆଲୋଚନା କରିଥିଲେ। ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ସେ ବିଏମସିକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ ଓ ଲିଙ୍ଗରାଜ ପ୍ଲାଜା ଅଞ୍ଚଳ ମଧ୍ୟ ବୁଲି ଅନୁଧ୍ୟାନ କରିଥିଲେ। ଶିବରାତ୍ରୀବେଳେ ମୂଳଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ମଧ୍ୟ ସେ ଫୋକସ କରିଛନ୍ତି। ସ୍ବଚ୍ଛ ପରିବେଶ ପାଇଁ ବ୍ୟାଟେରୀ ଚାଳିତ ଯାନ ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଏହାପରେ ୫-ଟି ଅଧ୍ୟକ୍ଷ ଦକ୍ଷିଣ ପାର୍ଶ୍ବ ପରିକ୍ରମା ଓ ବଢେଇ ବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ ରାସ୍ତା କାମ ମଧ୍ୟ ଅନୁଧ୍ୟାନ କରିଥିଲେ  ଏସବୁ ସ୍ଥାନରେ ସୁରୁଖୁରୁରେ ଯାତାୟାତ ପାଇଁ ସେ ଗୁରୁତ୍ବ ଦେଇଛନ୍ତି। ସୁଆଧ୍ୟାତ୍ମିକ ଭାବନା ନେଇ ଯେପରି ଶ୍ରଦ୍ଧାଳୁ ଫେରିବେ ସେ ନେଇ ଧ୍ୟାନ ରଖିବାକୁ ଅଧିକାରୀଙ୍କୁ କହିଥିଲେ। ସେଥିପାଇଁ ପରିକ୍ରମା କରିଡରରେ ଉଦ୍ୟାନ ଓ ପଥର କାରୁକାର୍ୟ୍ୟ କରିବାକୁ କହିଥିଲେ। ପୂରା ଦମରେ କାମ କରି ୨୦୨୫ ସୁଦ୍ଧା ସାରିବାକୁ ସେ ଟାର୍ଗେଟ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button