ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  । ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ, ସାାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାାସନ ଓ ଅଭିଯୋଗ ଶୁଣାଣୀ, ପଂଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ଏବଂ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ ସୃଷ୍ଟି କରାଯିବ  । ସେହିପରି ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲାମିଣ୍ଡା, ଯାଜପୁର ଓ ବିଞ୍ଝାରପୁର ଭଳି ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ୧୦ଟି ବୃହତ ଗ୍ରାମୀଣ ପାଇପ ଜଳ ଯୋଗାଣ ଯୋଜନାକୁ କ୍ୟାବିନେଟର ମୋହର ଲାଗିଛି  ।

ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ୨୯ଟି ପଂଚାୟତ, ସଦର ବ୍ଲକର ୧୧ ଗ୍ରାମପଂଚାୟତ, ଭୁବନ ବ୍ଲକର ୧୮ଟି ଗ୍ରାମ ପଂଚାୟତ ଓ କାମାକ୍ଷାନଗର ବ୍ଲକର ୧୦ଟି ଗ୍ରାମ ପଂଚାୟତରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କରାଯିବ  । ଏଥିପାଇଁ ମେଘା ଇଂଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ସର୍ବନିମ୍ନ ୨୯୬ କୋଟି ୯୩ ଲକ୍ଷ ଟଙ୍କାର ଟେଣ୍ଡର ଦାଖଲ କରିଥିବାବେଳେ ଏହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଆସନ୍ତା ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି  ।  ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ଏଲଆଣ୍ଡଟି ସର୍ବନିମ୍ନ ୩୪୮ କୋଟି ୧୦ ଲକ୍ଷ ଟଙ୍କାର ଟେଣ୍ଡର ଦାଖଲ କରିଥିଲା  । କ୍ୟାବିନେଟ ଏହାକୁ ମଂଜୁର କରିବା ସହ ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି  । ଏହି ପ୍ରକଳ୍ପ ଦ୍ୱାରା ବାଣପୁର ବ୍ଲକର ୧୧ଟି ପଂଚାୟତ, ଚିଲିକା ବ୍ଲକର ୧୭ଟି ପଂଚାୟତ, ଟାଙ୍ଗୀ ବ୍ଲକର ୭ଟି ପଂଚାୟତ, ବେଗୁନିଆ ବ୍ଲକର ୫ଟି ପଂଚାୟତ, ଜଟଣୀ ବ୍ଲକର ୧୫ଟି ପଂଚାୟତ ଓ ଖୋର୍ଦ୍ଧା ବ୍ଲକର ୨୨ଟି ପଂଚାୟତର ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯିବ  । ଯାଜପୁର, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପାନୀୟ ଜଳ ପ୍ରକଳ୍ପ କରିବ ମେଘା ଇଂଜିନିୟରିଂ । ସମ୍ବଲପୁର ଓ ଝାରସୁଗୁଡ଼ାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସର୍ବନିମ୍ନ ୧୮୮ କୋଟି ୩୮ ଲକ୍ଷ ୬୩ ହଜାର ଟଙ୍କାର ବିଡ଼ ଦାଖଲ କରାଯାଇଥିଲା  । ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ୨୪ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଥିବାବେଳେ ଏହାଦ୍ୱାରା ସମ୍ବଲୁପର ଜିଲାର ଧାନକଉଡ଼ା, ମାନେଶ୍ୱର, ଯୁଜୁମରା, ଯମନକିରା ଓ ରେଙ୍ଗାଲୀ ବ୍ଲକର ୨୬ଟି ପଂଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ  । ସେହିପରି ଝାରସୁଗୁଡ଼ା ବ୍ଲକର ୨ଟି ପଂଚାୟତକୁ ମଧ୍ୟ ପାନୀୟ ଜଳ ଉପଲବ୍ଧ ହୋଇପାରିବ  । ଅପରପକ୍ଷରେ କଳହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲମୁଣ୍ଡା ବ୍ଲକର ୨୮ଟି ପଂଚାୟତ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସର୍ବନିମ୍ନ ୧୭୭ କୋଟି ୮୩ ଲକ୍ଷ ୫୦ ହଜାର ଟଙ୍କାର ବିଡ଼ ଦାଖଲ କରିଥିଲେ  । ଏହି କାର୍ଯ୍ୟ ମଧ୍ୟ ୨୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଛି  । ଏହାଛଡ଼ା କମ୍ପାନୀ ପକ୍ଷରୁ ଯାଜପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୪୫ କୋଟି ୯୮ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଦାଖଲ କରାଯାଇଥିବାବେଳେ ଏହାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ଏହି ପ୍ରକଳ୍ପ ଦ୍ୱାରା ଯାଜପୁର, କୋରେଇ, ରସୁଲପୁର ଏବଂ ବିଞ୍ଝାରପୁରର ୫୩ଟି ପଂଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ  ।

Related Articles

Leave a Reply

Your email address will not be published.

Back to top button