ବିମାନ ଦୁର୍ଘଟଣାରେ ୪ ପାଇଲଟ୍ ନିହତ

ନୂଆଦିଲ୍ଲୀ: ଫିଲିପାଇନ୍ସ ବାୟୁସେନାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ନିୟମିତ ତାଲିମ ଉଡ଼ାଣ ସମୟରେ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ମଧ୍ୟାକାଶରେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଚାରିଜଣ ଯାକ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବାଟାଙ୍ଗାସ୍ ପ୍ରଦେଶରେ ଅବସ୍ଥିତ ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟି ପରିସରରେ ଏହି ଅଘଟଣ ଘଟିଛି। ଫିଲିପାଇନ୍ସ ବାୟୁସେନାର ସ୍ପଷ୍ଟୀକରଣରେ, ଉଡ଼ାଣ ଅଭିଯାନ ସମୟରେ ଏସଏଫ୍‌-୨୬୦ ମଡେଲର ଦୁଇଟି ତାଲିମ ବିମାନ ହଠାତ୍ ପରସ୍ପରକୁ ଧକ୍କା ଦେଇଥିଲେ। ଧକ୍କା ହେବା ପରେ ଉଭୟ ବିମାନ ସିଧାସଳଖ ବାୟୁସେନା ଘାଟି ଭିତରେ ଖସିପଡ଼ିଥିଲା। ଦୁର୍ଘଟଣାର କାରଣ ସମ୍ପର୍ଣ୍ଣ ସ୍ପଷ୍ଟ ହୋଇନଥିବା ବେଳେ ବାୟୁସେନା ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ବାୟୁସେନାରେ ଥିବା ସମସ୍ତ ଏସଏଫ୍‌-୨୬୦ ତାଲିମ ବିମାନର ଉଡ଼ାଣକୁ ଅସ୍ଥାୟୀ ଭାବରେ ବାତିଲ (ଗ୍ରାଉଣ୍ଡେଡ୍) କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମେ’ ମାସରେ ମଧ୍ୟ ଉତ୍ତର ଫିଲ୍ପାଇନ୍ସର ଏକ ପାର୍ବତ୍ୟ ଅଞ୍ଚଳରେ ଠିକ୍ ଏହିପରି ଏକ ଏସଏଫ୍‌-୨୬୦ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଦୁଇଜଣ ପାଇଲଟ୍‌ ପ୍ରାଣ ହରାଇଥିଲେ। ବାରମ୍ବାର ଏହି ମଡେଲର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ଏବେ ବାୟୁସେନାର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button