ଡିସେମ୍ବର ୨୪ରୁ ଧନୁଯାତ୍ରା

ଭୁବନେଶ୍ବର,:ବୃହତ୍ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଆସନ୍ତା ୨୦୨୬ ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ଧନୁଯାତ୍ରା ମହୋତ୍ସବ ପୂର୍ବରୁ କଂସ ସମେତ ଅନ୍ୟ କଳାକାରଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବରେ ଅଧିକ ନୂତନତା ଏବଂ ଆକର୍ଷଣକୁ ଗୁରୁତ୍ୱ ଦିଆଯିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଜ୍ୟ ସରକାର ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ ରାଶି ବୃଦ୍ଧି କରିଥିଲେ। ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ୧୭୦ କଳାକାରଙ୍କୁ ୧୦ହଜାର ଲେଖାଏଁ ସମ୍ମାନ ରାଶି ମିଳିବ। ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି, ମଥୁରା ନରେଶ କଂସ ମହାରାଜ ଧନୁଯାତ୍ରା ଆୟୋଜନ କରିବା ପାଇଁ ଏକ ସ୍ଥାୟୀ ଭବ୍ୟ ରାଜଦରବାର ନିର୍ମାଣ ଘୋଷଣା କରିଥିଲେ।