ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାର କୋପରଗାଓଁରେ ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍ ବାୟୋଗ୍ୟାସ (ସିବିଜି) କାରଖାନାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ ଅଜିତ ପାୱାର, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଏବଂ ଅନ୍ୟ କେତେଜଣ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଅମିତ ଶାହା କହିଛନ୍ତି ଯେ, ଭାରତର ସମବାୟ ଚିନି କାରଖାନା ଇତିହାସରେ ପ୍ରଥମ ଥର ପାଇଁ ମହର୍ଷି ଶଙ୍କରରାଓ କୋଲହେ ସହକାରୀ ସଖାର କାରଖାନାରେ ଏକ କମ୍ପ୍ରେସଡ୍ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟ ଏବଂ ଏକ ପଟାସ ଗ୍ରାନୁଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ପଦକ୍ଷେପ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଗାମୀ ଦିନରେ ଜାତୀୟ ସମବାୟ ବିକାଶ ନିଗମ (ଏନ. ସି. ଡି. ସି.) ସହାୟତାରେ ଏହିଭଳି ଦୁଇଟି କାରଖାନା ପ୍ରତିଷ୍ଠା କରିବା ପାଇଁ ୧୫ଟି ବଛା ବଛା ଚିନି କାରଖାନାକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ। ଯାହା ଦ୍ଵାରା ଏହି ନୂତନ ଆରମ୍ଭ ଆଗାମୀ ଦିନରେ ସାରା ଦେଶରେ ଚିନି କାରଖାନାଗୁଡ଼ିକ ପାଇଁ ଏକ ନୂତନ ପଥ ପରିଷ୍କାର କରିବ। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାର ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ସମର୍ପିତ। ସେ ଉଲ୍ଲେଖ କରିଥିଲେ ଯେ, ଅକ୍ଟୋବର ୧ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ‘‘ମିଶନ ଫର ଆତ୍ମନିର୍ଭରତା ଇନ ପଲସେସ୍” ଲର ଶୁଭାରମ୍ଭ କରିଥିଲେ, ଯାହା ଅଧୀନରେ ଡାଲି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଗାମୀ ଛଅ ବର୍ଷ ମଧ୍ୟରେ ୧୧,୩୪୦ କୋଟି ଟଙ୍କାର ବ୍ୟୟ କରାଯିବ। ଶ୍ରୀ ଶାହ କହିଥିଲେ, ଯଦି ହରଡ, ଏବଂ ମସୁର ଡାଲି ଉତ୍ପାଦନ କରୁଥିବା କୃଷକମାନେ ‘ନ୍ୟାସନାଲ ଏଗ୍ରିକଲ୍ଚରାଲ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ’ (ନାଫେଡ୍) ଏବଂ ‘ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍’ (ଏନ୍. ସି. ସି. ଏଫ୍.) ରେ ପଞ୍ଜୀକରଣ କରନ୍ତି, ତେବେ ଭାରତ ସରକାର ସେମାନଙ୍କ ସମ୍ପୂର୍ଣ୍ଣ ଡାଲିକୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍. ଏସ୍. ପି.) ରେ କ୍ରୟ କରିବେ। ଏହା ମହାରାଷ୍ଟ୍ରର କୃଷକମାନଙ୍କୁ ମଧ୍ୟ ଲାଭାନ୍ୱିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶର ୨୦ ନିୟୁତ କୃଷକଙ୍କ ଠାରୁ ୧୦୦ ପ୍ରତିଶତ ଏମ୍. ଏସ୍. ପି. ରେ ଡାଲି କ୍ରୟ କରାଯିବ। ଏହାବ୍ୟତୀତ, ଏକ ହଜାର ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରାଯିବ ଏବଂ ୩୮ ଲକ୍ଷ ଉଚ୍ଚ ମାନର ବିହନ କିଟ୍ ବଣ୍ଟନ କରାଯିବ।