ଜଙ୍ଗଲରୁ ଟ୍ରଲିବ୍ୟାଗ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ପତ୍ନୀଙ୍କ ସମେତ ୩ ଗିରଫ

ଭୁବନେଶ୍ବର: ଚିଲିକା ନିକଟସ୍ଥ ହରିପୁର ଜଙ୍ଗଲରୁ ଟ୍ରଲି ବ୍ୟାଗ୍ରେ ଭର୍ତ୍ତି ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ନାଚୁଣୀ ଥାନା ପୁଲିସ ମୃତ ଯୁବକଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତତ, ଗିରଫ ବ୍ୟକ୍ତିମାନେ ହେଲେ ମୃତ ଯୁବକ ମନୋରଞ୍ଜନ ମହାପାତ୍ର (୩୨) ଙ୍କ ପତ୍ନୀ ନିଲି ଦାସ, ତାଙ୍କ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜଜଙ୍କିଆ ଗ୍ରାମର ତ୍ରିନାଥ ଦାସଙ୍କ ପୁଅ ମିଟୁ ଦାସ (୨୬ ) ଏବଂ ନିଲିଙ୍କ ପୁରୁଷ ବନ୍ଧୁ ତଥା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡ଼ିପାଟଣା ସାହିର ବିଜୟ କୁମାର ସାହୁଙ୍କ ପୁଅ ବିକ୍ରମ କୁମାର ସାହୁ (୨୯) । ବିକ୍ରମ ବର୍ତ୍ତମାନ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ଡୋମଣୀ ସାହିରେ ରହୁଛନ୍ତି । ମୃତ ଯୁବକ ମନୋରଞ୍ଜନଙ୍କ ନାମରେ ୨ରୁ ୩ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଡକାୟତି ମାମଲା ରହିଥିବା ବେଳେ ତାଙ୍କ ଗିରଫଦାରୀ ପାଇଁ ପୁଲିସ ୱାଣ୍ଟେଡ୍ ନୋଟିସ୍ କରିଥିଲା । ଏଥିସହିତ ମନୋରଞ୍ଜନ ପୂର୍ବରୁ ରହୁଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନିଜ ବାସସ୍ଥାନରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପଡ଼ିବାରୁ ସେ ସପରିବାର ସହ ଚିଲିକା ବ୍ଲକର ଚଣ୍ଡେଶ୍ୱର ଦାରୁ ଗାଁରେ ଘର ଭଡ଼ାନେଇ ରହୁଥିଲେ । ମନୋରଞ୍ଜନ ମଦ୍ୟପାନ କରି ନିଜର ପତ୍ନୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ସେ ଗତ ୨୦ ତାରିଖ ରେ ପତ୍ନୀ ନିଲିଙ୍କୁ କୁଆଡେ ପ୍ରବଳ ମାଡ଼ ମାରିଥିବାରୁ ପତ୍ନୀ ଅସହାୟ ହୋଇ ସ୍ୱାମୀଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ । ଏଣୁ ଗତ ୨୧ ତାରିଖ ରାତିରେ ନିଲି ନିଜର ସମ୍ପର୍କୀୟ ଭାଇ ମିଟୁ ଦାସ ଓ ନିଜର ପୁରୁଷବନ୍ଧୁ ବିକ୍ରମ କେଶରୀଙ୍କୁ ଡକାଇ ଘରେ ଭୋଜି ଆସର କରିବା ସହ ମନୋରଞ୍ଜନଙ୍କୁ ମାତ୍ରାଧିକ ମଦ ପିଆଇ ଅଚେତ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲେ । ତା’ପରେ ଚାନ୍ଦପୁର ବଜାରରୁ ଏକ ସର୍ଫ ରଙ୍ଗର ଟ୍ରଲି ବ୍ୟାଗ୍ କିଣି ତା’ ମଧ୍ୟରେ ମୃତଦେହ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତ୍ରିରେ ତ୍ରିନାଥ ଓ ବିକ୍ରମ ଏକ ମୋଟର ସାଇକେଲରେ ବ୍ୟାଗ୍ଟିକୁ ଧରି ହରିପୁର ଜଙ୍ଗଲକୁ ଯାଇଥିଲେ ଏବଂ ସେଠାରେ ଫୋପାଡ଼ି ଦେଇଥିଲେ । ମୃତଦେହ ପଡ଼ିଥିବା ସ୍ଥାନ ହେଉଛି ଏନ୍ଏଚ୍ଠାରୁ ମାତ୍ର ୫୦ ମିଟର ଦୂର । ଗତକାଲି ପୁଲିସ ମୃତଦେହ ଟ୍ରଲିବ୍ୟାଗ୍ ମଧ୍ୟରୁ ଜବତ କରିଥିଲା । ମୃତଦେହର ପରିଚୟ ଜଣାପଡ଼ିବା ପରେ ନିଲି ଘଟଣା ସ୍ଥଳରେ ପହଞ୍ôଚ କାନ୍ଦବୋବାଳି ଛାଡ଼ିଥିଲେ । ତେବେ ତାଙ୍କ କାନ୍ଦ ହୃଦୟରୁ ନଥିଲା । ସେ କେବଳ ଛଳନାପୂର୍ଣ୍ଣ କାନ୍ଦୁଥିବା ଅନୁମାନ କରାଯାଉଥିଲା । ସ୍ୱାମୀଙ୍କ ଶବକୁ ଧରି କାନ୍ଦିବା ପରିବର୍ତ୍ତେ ସେ ଅନ୍ୟ ଜଣେ ଲୋକକୁ ଧରି କାନ୍ଦୁଥିଲେ । ମିଡିଆକୁ ଏଣୁତେଣୁ କହୁଥିଲେ । ସେହିଠାରୁ ହିଁ ନିଲି ଉପରେ ପୁଲିସର ସନ୍ଦେହ ହୋଇଥିଲା । ତେଣୁ ପୁଲିସ ନିଲିକୁ ଧରି ଥାନାକୁ ନେଇଯାଇଥିଲେ । ପଚରା ଉଚରା ପରେ ମିଲି ଅନେକ ତଥ୍ୟ ଦେଇଥିଲେ । ଏହାବ୍ୟତୀତ ବ୍ୟାଗ୍ଟି ନୂଆ ଥିବାରୁ ପୁଲିସ ତାହା ଆଖପାଖ କୌଣସି ବଜାରରୁ କିଣାଯାଇଥିବ ଭାବି ତଦନ୍ତ କରିଥିଲା । ବ୍ୟାଗ୍ଟି ନେଇ ପୁଲିସ ଚାନ୍ଦପୁରରେ ଥିବା ବିଭିନ୍ନ ଦୋକାନ ବୁଲିବା ପରେ ଜଣେ ଦୋକାନୀ ତାଙ୍କଠାରୁ ଏହି ବ୍ୟାଗ୍ଟି କିଣାଯାଇଥିବା ସ୍ୱୀକାର କରିଥିଲେ । ଦୋକାନରେ ଲାଗିଥିବା ସିସିଟିଭିରେ ମଧ୍ୟ ବିକ୍ରମ କୁମାର ସାହୁ ଓ ତ୍ରିନାଥ ଦାସ ବ୍ୟାଗ୍ ଧରିଥିବାର ଦେଖାଯାଇଥିଲା । ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ନିକଟରେ ମନୋରଞ୍ଜନଙ୍କ ଗାଁରେ ତାଙ୍କ ପରିବାର ଏକ ଜମି ବିକ୍ରୀ କରିଥିଲେ । ସେଥିରୁ ମନୋରଞ୍ଜନଙ୍କ ଭାଗ ୬ ଲକ୍ଷ ଟଙ୍କା ପଡ଼ିଥିଲା । ଏହି ଟଙ୍କା ନିଲି ନାଁରେ ଥିବା ଆକାଉଣ୍ଟରେ ଥିଲା । ତେଣୁ ଏହି ଟଙ୍କା ହଡ଼ପ କରିବାକୁ ନିଲି ହୁଏତ ସଂପର୍କୀୟ ଭାଇ ଓ ପୁରୁଷ ବନ୍ଧୁଙ୍କୁ ଧରି ମନୋରଞ୍ଜନଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ଶିଦ୍ଧାର୍ଥ କଟାରିଆଙ୍କ ସହ ବାଲୁଗାଁ ଏସଡିପିଓ ମାନସରଞ୍ଜନ ବାରିକ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଓ ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ ।