ମୁସ୍କାନ ଓ ରବିତାଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦ ହେବାକୁ ଆଗେଇ ଆସିଲେ ମୀରା ରାଠୋର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚର୍ଚ୍ଚିତ ‘ନୀଳ ଡ୍ରମ୍ ହତ୍ୟାକାଣ୍ଡ’ର ଦୋଷୀ ମୁସ୍କାନ ରସ୍ତୋଗୀ ଏବଂ ନିଜ ସ୍ୱାମୀଙ୍କୁ ହତ୍ୟା କରି ସାପ କାମୁଡ଼ାର ରୂପ ଦେଇଥିବା ଦୋଷୀ ରବିତାଙ୍କ ମାମଲା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହି ଦୁଇ ଚାଞ୍ଚଲ୍ୟକର ମାମଲାରେ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିବାବେଳେ, ଅଖିଳ ଭାରତ ହିନ୍ଦୁ ମହାସଭାର ଆଗ୍ରା ଜିଲ୍ଲା ସଭାପତି ମୀରା ରାଠୋର ଉଭୟ ମହିଳାଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ମଥୁରା ଜିଲ୍ଲାପାଳଙ୍କୁ ଏକ ଲିଖିତ ଆବେଦନପତ୍ର ପ୍ରଦାନ କରି ଜଲ୍ଲାଦଙ୍କ ଦାୟିତ୍ୱ ତୁଲାଇବାକୁ ଅନୁମତି ମାଗିଛନ୍ତି। ପ୍ରଶାସନ ଅନୁମତି ଦେଲେ ସେ ବିନା ପାରିଶ୍ରମିକରେ ଏହି କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏଥିସହ ଫାଶୀ ଦେବା ପୂର୍ବରୁ ଉଭୟ ମହିଳାଙ୍କୁ ଗଙ୍ଗାଜଳରେ ଶୁଦ୍ଧିକରଣ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଅମିତ କଶ୍ୟପଙ୍କୁ ହତ୍ୟା କରି ଏହାକୁ ସାପ କାମୁଡ଼ା ଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିବା ମାମଲାରେ ରବିତା ଏବଂ ତାଙ୍କ ସହଯୋଗୀ ଅମରଦୀପଙ୍କୁ ଅକ୍ଟୋବର ୨୦୨୬ରେ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଏବଂ ପକ୍କା ପ୍ରମାଣ ଆଧାରରେ ଏହି ଅପରାଧ ପଦାକୁ ଆସିଥିଲା। ଉଭୟ ଜଘନ୍ୟ ମାମଲାରେ ଦୋଷୀଙ୍କ ପାଇଁ କଡ଼ା ଦଣ୍ଡର ବିଧାନ ହୋଇଥିବାବେଳେ, ମୀରା ରାଠୋରଙ୍କ ଏହି ଆବେଦନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି

Related Articles

Leave a Reply

Your email address will not be published. Required fields are marked *

Back to top button