ସ୍ବାଧୀନତା ସଂଗ୍ରାମରୁ ଓଡ଼ିଶାର ଶାସନ ଭାର – ନୀଳମଣି ରାଉତରାୟ

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୬ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଏଜି ଛକଠାରେ ଥିବା ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତିଠାରେ ସକାଳ ୮ ଘଟିକା ସମୟରେ ଓଡ଼ିଶାର ବିଭିନ୍ନ ବିଶିଷ୍ଟ ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ନୀଳମଣି ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପଥପ୍ରାନ୍ତ ସ୍ମୃତି ଚାରଣ ସଭା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବରିଷ୍ଠ ବିଜେଡି ନେତା ରବି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ମାଲ୍ୟାର୍ପଣ ଉତ୍ସବରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସର ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ଅମର ଶତପଥୀ, ପ୍ରଫୁଲ୍ଲ ଘଡ଼େଇ, ବିଜେପି ବିଧାୟକ ବାବୁ ସିଂହ, ପ୍ରଶାନ୍ତ ଜଗଦ୍ଦେବ, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ସିପିଏମ୍ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସିପିଆଇ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ବିଜୟ ପରିଡ଼ା, ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ମେୟର୍ ସୁଲୋଚନା ଦାସ ପ୍ରମୁଖ ନୀଳମଣି ରାଉତରାୟଙ୍କ ସ୍ମୃତିଚାରଣ କରିବା ସହିତ ମାଲ୍ୟାର୍ପଣ କରିଥିଲେ।

 

ସନ୍ଧ୍ୟାରେ ଜୟଦେବ ଭବନଠାରେ ନୀଳମଣି ରାଉତରାୟ ଫାଉଣ୍ଡେସନ ତରଫରୁ ଏକ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅବସରପ୍ରାପ୍ତ ପ୍ରଶାସନିକ ମୁଖ୍ୟ ସଚିବ ରବି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଭଦ୍ରକ ସାଂସଦ ତଥା ବିଜେପି ନେତା ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ନୀଳମଣି ରାଉତରାୟଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ସ୍ମୃତି ଚାରଣ କରିଥିଲେ। ଉକ୍ତ ମାଲ୍ୟାର୍ପଣ ଉତ୍ସବ ଏବଂ ଜୟନ୍ତୀ ସମାରୋହକୁ ନୀଳମଣି ରାଉତରାୟଙ୍କ ନାତି ତଥା ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପରିଚାଳନାରେ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button