ନେପାଳ ବନ୍ୟା : ମୃତ୍ୟୁସଂଖ୍ୟା ୧୩୮୫କୁ ବୃଦ୍ଧି

ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ୟୁଏଇର ଉଦ୍ଧାରକାରୀ ଦଳ ଆଉ ୧୦ଟି ମୃତଦେହ ଉଦ୍ଧାର କରିଛନ୍ତି। ଏଥିସହିତ ୟୁଏଇ ଟିମ୍ ଦ୍ୱାରା ଉଦ୍ଧାର ହୋଇଥିବା ମୋଟ ମୃତଦେହ ସଂଖ୍ୟା ୧୮ରେ ପହଞ୍ଚିଛି। ନେପାଳ ପ୍ରଶାସନ ଓ ସେନା ସହ ସମନ୍ୱୟ ରଖି ୟୁଏଇ ଟିମ୍ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ତ୍ରିଶୁଳୀ ନଦୀର ଆଖପାଖରେ ଥିବା ରସୁଓ୍ବା ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ଏହି ଟିମ୍ ମୁଖ୍ୟତଃ ଧ୍ୟାନ ଦେଉଛି। ନିଖୋଜମାନଙ୍କ ସନ୍ଧାନ ପାଇଁ ଡ୍ରୋନ୍ ସମେତ ଅନ୍ୟାନ୍ୟ ଆଧୁନିକ ଉପକରଣ ବ୍ୟବହାର କରାଯାଉଛି। ଏହି ଟିମରେ ୟୁଏଇ ଜଏଣ୍ଟ ଅପରେସନ୍ କମାଣ୍ଡ, ଦୁବାଇ ପୁଲିସର ତଲାସୀ ଓ ଉଦ୍ଧାରକାରୀ ଦଳ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦୀର୍ଘ ଅନୁଭବ ଥିବା ବିଶେଷଜ୍ଞମାନେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ବତ ସୀମା ନିକଟରେ ଭୂସ୍ଖଳନ ଯୋଗୁଁ ଅଚାନକ ବିନାଶକାରୀ ବନ୍ୟା ଆସିଥିଲା। ଅଦ୍ୟାବଧି ଏଥିରେ ନେପାଳର ୮ଟି ଜିଲ୍ଲାର ୧,୩୮୫ ଜଣ ପ୍ରାଣ ହରାଇଥିବା ବେଳେ ୫,୧୩୦ରୁ ଅଧିକ ନିଖୋଜ ଅଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ, ୧୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଭାରତ ପକ୍ଷରୁ ମଧ୍ୟ ନେପାଳକୁ ରିଲିଫ୍ ସାମଗ୍ରୀ ଓ ଉଦ୍ଧାରକାରୀ ଟିମ୍ ପଠାଯାଇଛି। ଏହି ମର୍ମାନ୍ତୁଦ ଦୁର୍ଘଟଣାରେ ଅନେକ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ଏବେ ବି କେତେକ ନିଖୋଜ ଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button