ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିମ୍‌ସାରର ୨ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ର ଦୁଇ ଜଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେମାନେ ହେଉଛନ୍ତି ଭିମସାରର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର-କମ୍‌-ଅଫିସ ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ ଓ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେର। ବୁଧବାର ଭିଜିଲାନ୍ସ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ଏହି ଉଭୟ ଅଧିକାରୀଙ୍କ ଏକାଧିକ ଠିକଣାରେ ଚଢ଼ଉ କରାଯାଇଥିଲା।
ଚଢ଼ଉ ବେଳେ ଏଷ୍ଟାବ୍ଲିସମେଣ୍ଟ ଅଫିସର-କମ୍‌-ଅଫିସ ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ଘରୁ ନଗଦ ୧୯ ଲକ୍ଷ ୭୨ ହଜାର ୪୯୦ ଟଙ୍କା ଜବତ କରାଯାଇଛି। ତାଙ୍କର ୩୨ଟି ମୂଲ୍ୟବାନ ପ୍ଲଟ୍ ଅଛି। ସମ୍ବଲପୁରର ଧନକଉଡ଼ା ଅଞ୍ଚଳରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି, ଯାହା ପ୍ରାୟ ୧୭୦୦ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି। ସେହିଭଳି ଗୁଡ଼େସିଙ୍ଗାରେ ତାଙ୍କର ଆଉ ଏକ କୋଠା ଅଛି। ତାଙ୍କ ଘରୁ ୮୩.୦୫ ଗ୍ରାମ ସୁନାଗହଣା ଜବତ କରାଯାଇଛି। ସେ ୩୯ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କର ଦୁଇଟି ହାଇୱା, ୨ଟି ଟ୍ରାକ୍ଟର ଓ ଗୋଟିଏ କାର ଆଦି ରହିଛି।
ସେହିପରି ଭିମସାରର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ପାଇଛି ବହୁ ସମ୍ପତ୍ତି। ଶ୍ରୀ ମେହେର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବୁର୍ଲାର ସୌରଭ ବିହାରରେ ଗୋଟିଏ ୪ ମହଲା କୋଠା ରହିଛି। ଏହା ପ୍ରାୟ ୮୧୪୫ ବର୍ଗଫୁଟ ଜାଗାରେ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବୁର୍ଲା ସହରର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଓ ବରଗଡ଼ ଜିଲ୍ଲାର ଗୋବିନ୍ଦପାଲ୍ଲିରେ ତାଙ୍କର ଆଉ ଦୁଇଟି କୋଠା ଅଛି। ବୁର୍ଲାରେ ତାଙ୍କର ଏକ ଷ୍ଟୋର ରୁମ୍ ରହିଛି। ତାଙ୍କ ଘରୁ ୮୩ ଗ୍ରାମ ସୁନାଗହଣା ଜବତ କରାଯାଇଛି।ଶ୍ରୀ ମେହେର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧୦ଟି ମୂଲ୍ୟବାନ ପ୍ଲଟ୍ ଅଛି। ସେଥିରୁ ୬ଟି ବୁର୍ଲା ସହରରେ ଥିବା ବେଳେ ୨ଟି ସମ୍ବଲପୁର ଓ ୨ଟି ବରଗଡ଼ ସହରରେ ଅଛି। ଏହି ଦୁଇ ଅଧିକାରୀ ଏତେ ସମ୍ପତ୍ତି କିପରି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଥାନାରେ ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button