ମେ ୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର (ମେ ୪ ତାରିଖ) ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏବଂ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଲୋକମାନଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର କୌଣସି ଅଭିଯୋଗ ଶୁଣାଣି ହେବ ନାହିଁ। ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ କେବେ ଧାର୍ଯ୍ୟ ହେବ, ସେ ନେଇ ଖୁବଶୀଘ୍ର ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ର ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯାଇଛି।



