୧୦୦ ବିଲିଅନ ଡଲାର କମ୍ପାନୀ କ୍ଲବରେ ଆଦାନି

ମୁମ୍ବାଇ: ୧୦୦ ବିଲିଅନ ଡଲାର କମ୍ପାନୀ କ୍ଲବରେ ଗୌତମ ଆଦାନିଙ୍କ ଆଦାନି ଗ୍ରୁପ ସାମିଲ ହୋଇଛି । ଷ୍ଟକ ବଜାରରେ ତାଲିକାଭୁକ୍ତ ଆଦାନି ଗ୍ରୁପର ୬ଟି କମ୍ପାନୀର ସେୟାର ମୂଲ୍ୟ ଅନୁସାରେ ଏଗୁଡ଼ିକର ବଜାରପୁଞ୍ଜି ୭.୮୪ ଲକ୍ଷ କୋଟି ଟଙ୍କା ବା ୧୦୬.୮ ବିଲିୟନ ଡଲାରରେ ପହଞ୍ଚିଛି । ଟାଟା ଗ୍ରୁପ ଓ ରିଲାଏନ୍ସ ପରେ ଆଦାନି ଦେଶର ତୃତୀୟ କମ୍ପାନୀ ଭାବେ ଏହି ଗୌରବ ହାସଲ କରିଛି । ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଜଣେ କମୋଡ଼ିଟି ଟ୍ରେଡର ଭାବେ ବ୍ୟବସାୟିକ ଜୀବନ ଆରମ୍ଭ କରିଥିବା ଗୌତମ ଆଦାନି ଏବେ ଖଣି ଠାରୁ ଆରମ୍ଭ କରି ବନ୍ଦର, ବିମାନ ବନ୍ଦର ଶକ୍ତି ପ୍ରକଳ୍ପ ଡାଟା ସେଣ୍ଟର, ସିଟି ଗ୍ୟାସ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରକୁ ଏହାର ବ୍ୟାବସାୟିକ ସାମ୍ରାଜ୍ୟ ମେଲାଇ ପାରିଛି । ଅନ୍ୟପକ୍ଷରେ ଟାଟା ଗ୍ରୁପର ବଜାର ପୁଞ୍ଜି ବର୍ତ୍ତମାନ ପାଖାପାଖି ୨୪୨ ବିଲିଅନ ଡଲାର ରହିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜି ୧୭୧ ବିଲିଅନ ଡଲାର ରହିଛି ।