ବିହାର ବିଧାନସଭା ନିର୍ବାଚନରେ ନିଯୁକ୍ତ ହେବେ ୪୭୦ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ:ସେପ୍ଟେମ୍ବର ୩୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୬ କିମ୍ବା ୭ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି। କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ଅକ୍ଟୋବର ୪ ଓ ୫ ତାରିଖରେ ନିର୍ବାଚନ ଆୟୋଗଙ୍କ ସମସ୍ତ ସଦସ୍ୟ ବିହାର ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ।ଅକ୍ଟୋବର ୩ ତାରିଖରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହିତ ଇସିଙ୍କ ବୈଠକ ହେବ। ବିହାର ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଅବାଧ କରିବା ଲାଗି ଆୟୋଗ ୪୭୦ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିମଧ୍ୟରୁ ୩୨୦ଜଣ ଆଇଏଏସ୍, ୬୦ ଆଇପିଏସ୍ ଓ ୯୦ଜଣ ଅନ୍ୟ କ୍ୟାଡରର (ଆଇଆରଏସ୍, ଆଇଆରଏଏସ୍, ଆଇସିଏଏସ୍) ଅଧିକାରୀ ରହିବେ। ବିହାର ବିଧାନସଭା ୨୪୩ ଆସନ ସହିତ ବିଭିନ୍ନ ରାଜ୍ୟର ୭ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ।