ବିଦ୍ୟୁତ୍‌ଚାଳିତ ଗାଡ଼ି ପାଇଁ ହେବ ଭଡ଼ା ସ୍ଥିର

ଭୁବନେଶ୍ୱର: ଜୀବାଷ୍ମ ଇନ୍ଧନର ସଂରକ୍ଷଣ ପାଇଁ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ବିଦ୍ୟୁତ୍‍ ଚାଳିତ ଗାଡି ବ୍ୟବହାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରକାରୀ ବିଭାଗ ଓ ଅନ୍ୟ ସରକାରୀ ସଂସ୍ଥାରେ ବିଦ୍ୟୁତ୍‍ ଚାଳିତ ଗାଡି ପାଇଁ ଭଡା ସ୍ଥିର ଲାଗି ପଦକ୍ଷେପ ନିଆଯାଉଛି ।
ବଜାରକୁ ଆସିଥିବା ବିଭିନ୍ନ ବର୍ଗର ବିଦ୍ୟୁତ୍‍ ଚାଳିତ ଯାନ ବିଶେଷକରି ଟାଟା ନେକ୍ସନ, ଟାଟା ଟିଗୋର, ଟାଟା ଏକ୍ସପ୍ରେସ-ଟି, ହୁଣ୍ଡାଇ କୋନା, ଏମଜି ଜେଡ୍‍ଏସ୍‍ର ବିଦ୍ୟୁତ୍‍ ଚାଳିତ ଗାଡି ଆଦି ମାସକୁ କେତେ ପରିମାଣରେ ଗଡିପାରିବ, ବ୍ୟାଟେରୀ ବଦଳ, ଚାର୍ଜିଂ ଦର ଏବଂ ଅନ୍ୟ କୌଣସି ଖର୍ଚ୍ଚ ଥିଲେ ତାହାକୁ ବିଚାରକୁ ନେଇ ସମ୍ପୃକ୍ତ ଗାଡିକର ମାସିକ ସର୍ବାଧିକ ଦର ସ୍ଥିର ହେବ । ଏଥି ସହିତ ଗାଡି ବ୍ୟବହାର ୧୯୭୮ରେ ପରିବର୍ତ୍ତନ କରି ବିଭିନ୍ନ ଗାଡିର ନୂଆ ରକ୍ଷଣା ବେକ୍ଷଣ ଦର ଧାର୍ଯ୍ୟ କରିବାକୁ ଯାଉଛନ୍ତି । ବିଦ୍ୟୁତ୍‍ ଚାଳିତ ଯାନର ଯନ୍ତ୍ରାଂଶ, ବ୍ୟାଟେରୀ, ଟାୟାର ଏବଂ ଟ୍ୟୁବ ଆଦିର ଦର ବହୁଗୁଣିତ ହୋଇଥିବାରୁ ଏହାର ରକ୍ଷଣା ବେକ୍ଷଣ ଦର ବୃଦ୍ଧି ଅତ୍ୟାବଶ୍ୟକ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଦ୍ୟୁତ୍‍ ଚାଳିତ ଯାନର ଦର ଓ ରକ୍ଷଣା ବେକ୍ଷଣ ବାବଦରେ ବିସ୍ତୃତ ଭାବେ ଜଣାଇବାକୁ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି । ୨୦୩୦ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିବାକୁ ଯାଉଥିବାବେଳେ କେନ୍ଦ୍ର ସରକାର ଇତି ମଧ୍ୟରେ ସରକାରୀ ମନ୍ତ୍ରାଳୟ ଓ ବିଭାଗଗୁଡିକୁ ପ୍ରେଟ୍ରୋଲ ଓ ଡିଜେଲ ଗାଡି ବଦଳରେ ବିଦ୍ୟୁତ୍‍ ଚାଳିତ ଗାଡି ଖରିଦ କିମ୍ବା ଭଡାରେ ଆଣିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ରାଜ୍ୟ ଇଭି ନୀତି ୨୦୨୧ ଜାରି କରିଛନ୍ତି । ଏହି ନୀତି ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ୧୫ ପ୍ରତିଶତ ଅର୍ଥ କିମ୍ବା ସର୍ବାଧିକ ୫୦୦୦ ଟଙ୍କା ସବସିଡ୍‍ ପ୍ରଦାନ କରାଯାଉଛି । ସେହିଭଳି ଚାରିଚକିଆ ଯାନ ପାଇଁ ସର୍ବାଧିକ ୫୦,୦୦୦ ଓ ତିନି ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କାର ସବସିଡ୍‍ ସହିତ ପଞ୍ଜିକରଣ ଫି ଛାଡ ହୋଇଛି । ରାଜ୍ୟ ସରକାର ଇଭି ନୀତି ଜାରି କରିବାପରେ ଅର୍ଥାତ୍‍ ୨୦୨୧ ସେପ୍ଟେମ୍ବର ପହିଲା ପରଠାରୁ ଗାଡି ଖରିଦ କରିଥିବା ହିତାଧିକାରୀମାନେ ସବସିଡ୍‍ ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି । ଏହି ସବସିଡ୍‍ ପ୍ରଦାନ ଆଗାମୀ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ । ଇତି ମଧ୍ୟରେ ରାଜ୍ୟ ସରକାର ୪୪୮୮ ବିଦ୍ୟୁତ୍‍ ଚାଳିତ ଯାନ କ୍ରେତାଙ୍କୁ ୨.୯୬ କୋଟି ଟଙ୍କା ସବସିଡ୍‍ ବାବଦରେ ପ୍ରଦାନ କରିଛନ୍ତି । ରାଜ୍ୟରେ ବିକ୍ରି ହୋଇଥିବା ମୋଟ୍‍ ୧୬,୭୫୯ ବିଦ୍ୟୁତ୍‍ ଚାଳିତ ଯାନ ମଧ୍ୟରେ ୫୪୬୬ ଯାନ ସବସିଡ୍‍ ପାଇଁ ଆବେଦନ କରିଛନ୍ତି । ଏଥି ମଧ୍ୟରୁ ୪୪୮୮ ଯାନ ମାଲିକ ଇତି ମଧ୍ୟରେ ସବସିଡ୍‍ ଅର୍ଥ ଗ୍ରହଣ କରିଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button