ଯୁବକଙ୍କୁ ଅପହରଣ ପରେ ହତ୍ୟା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଳତେନ୍ତୁଳିଆ ଗ୍ରାମର ନିଖୋଜ ଯୁବକ ରାଜଦୀପଙ୍କ ମୃତଦେହ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଘାଟିରୁ ଉଦ୍ଧାର କରାଯାଇଛି। ରାଜଦୀପଙ୍କୁ ଅପହରଣ କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ରାଜଦୀପ ଗତ ଗୁରୁବାରଠାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଶନିବାର ଦାରିଙ୍ଗିବାଡ଼ି ଘାଟି ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏହା ରାଜଦୀପଙ୍କ ମୃତଦେହ ବୋଲି ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାଜଦୀପଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କରିଛି, ସେ ନେଇ ପୋଲସରା ଥାନା ପକ୍ଷରୁ ଛାନଭିନ୍ ଜାରି ରହିଛି। ଅପହରଣ ପଛରେ କୌଣସି ପୁରୁଣା ଶତ୍ରୁତା କିମ୍ବା ଅନ୍ୟ କିଛି କାରଣ ରହିଛି କି ନାହିଁ, ସେ ଦିଗରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button