ବିଶ୍ବ କ୍ୟାଡେଟ୍ ଚେସ୍: ସାତ୍ତ୍ବିକଙ୍କୁ କାଂସ୍ୟ

ଭୁବନେଶ୍ବର: ଜର୍ଜିଆର ବାତୁମିରେ ଅନୁଷ୍ଠିତ ବିଶ୍ବ କ୍ୟାଡେଟ୍ ଚେସ୍ ଚମ୍ପିଆନସିପରେ ଚମକିଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଖେଳାଳିମାନେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ସହ ୪ଟି ପଦକ ଜିିତିଛନ୍ତି। ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଖେଳାଳି ସାତ୍ତ୍ବିକ ସ୍ବାଇଁ କାଂସ୍ୟ ପଦକ ଜିତିଛନ୍ତି। ସାତ୍ତ୍ବିକ ୧୦ ବର୍ଷରୁ କମ୍ ଓପନ ବର୍ଗରେ କାଂସ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ଦିଭି ବ୍ରିଜେଶ ସ୍ବର୍ଣ୍ଣ, ୧୦ ବର୍ଷରୁ କମ୍ ଓପନ ବର୍ଗରେ ସବ୍ରାର୍ଥୋ ମଣି ରୌପ୍ୟ ଓ ୮ ବର୍ଷରୁ କମ୍ ବାଳିକା ବର୍ଗରେ ସାଇଆସ୍ଥା ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହି ଅସାଧାରଣ ସଫଳତା ପାଇଁ ପଦକ ବିଜେତା ଖେଳାଳି, ସେମାନଙ୍କ ପିତା ମାତା, ପ୍ରଶିକ୍ଷକଙ୍କୁ ନିଖିଳ ଓଡ଼ିଶା ଚେସ୍ ଆସୋସିଏସନ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।



