ଗୁରୁ ଦିବସରେ ରାଜରାସ୍ତାରେ ୪ ଦଫା ଦାବି ନେଇ ହଜାର ହଜାର ଶିକ୍ଷକ

ଭୁବନେଶ୍ୱର: ସାରା ଦେଶ ଅତ୍ୟନ୍ତ ଉତ୍ସାହର ସହ ଗୁରୁ ଦିବସ ପାଳନ କରୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ‘ଗୁରୁ ଗର୍ଜନ’। ନିଜର ବ୍ୟାଜ୍ୟ ଦାବି ହାସଲ ପାଇଁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଶିକ୍ଷା କର୍ମଚାରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲ କମିଟି ସଦସ୍ୟମାନେ ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ବିଶାଳ ମହାସମାବେଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦ ଦିନ ଧରି ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଦିନରାତି ଧାରଣା ଦେଇଆସୁଥିଲେ ହେଁ ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ପଦକ୍ଷେପ ନନିଆଯିବାରୁ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଛି। ମୁଖ୍ୟତଃ ନୂଆ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ପାଇଁ ସାଧାରଣ ସର୍ଭିସ୍ ସର୍ତ୍ତାବଳୀ ଲାଗୁ କରିବା, ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅନୁଦାନ ସଂକ୍ରାନ୍ତୀୟ ଜଟିଳତାର ସମାଧାନ ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଭଳି ୪ ଦଫା ଦାବି ନେଇ ଏହି ପ୍ରତିବାଦ କରାଯାଉଛି। ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘ ୨୫ରୁ ୩୦ ବର୍ଷ ଧରି ନିଷ୍ଠାର ସହ ଶିକ୍ଷାଦାନ କରୁଥିବା ଅନୁଦାନଯୋଗ୍ୟ ଶିକ୍ଷାନୁଷ୍ଠାନର ଅନେକ ଶିକ୍ଷକ ଓ କର୍ମଚାରୀ ଆଜି ବି ସର୍ବନିମ୍ନ ଆର୍ଥିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏଥିସହିତ ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ ନଥିବାରୁ ରାଜ୍ୟର ଅନେକ ସ୍କୁଲ ଓ କଲେଜରେ ଭୟଙ୍କର ଶିକ୍ଷକ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button