ଆଜିଠୁ ପୁଣି ଦୁଇଦିନ ଚାଲିବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି। ଆଜିଠାରୁ ଆଗାମୀ ଦୁଇଦିନ ଧରି ଏହି ଗଣତିମଣତି ପ୍ରକ୍ରିୟା ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନାନୁସାରେ, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାନକ କାର୍ଯ୍ୟକାରୀ ବିଧି (ଏସ୍ଓପି) ଅନୁଯାୟୀ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ଗଣତିମଣତି ସମୟରେ ଯେପରି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଘ୍ନ ନଘଟେ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଗଣତିମଣତି କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରାଯାଇଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଗଣତିମଣତି ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି।



