୧ରୁ ତୋଷାଳି ମେଳା, ୬୦୦ରୁ ଅଧିକ ଷ୍ଟଲ୍

ଭୁବନେଶ୍ୱର: ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି ଏଥର ମଧ୍ୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ କମିଶନର ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହା ଆୟୋଜିତ ହେଉଛି । ଏଥର କରୋନା କଟକଣା ନଥିବାରୁ ମେଳାକୁ ବଡ଼ ଆକାରରେ ଆୟୋଜନ କରାଯାଇଛି । ଯାହା ଫେବ୍ରୁଆରୀ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଅପରାହ୍ଣ ସାଢେ଼ ୨ଟାରୁ ରାତି ସାଢେ଼ ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମେଳା ଖୋଲା ରହିବ । ସିଡାକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୪୦୦ରୁ ଅଧିକ ହସ୍ତଶିଳ୍ପ ଷ୍ଟଲ୍ ଖୋଲିବ । ଯେଉଁଠି ଓଡ଼ିଶା ଏବଂ ଓଡ଼ିଶା ବାହାରର ପାରମ୍ପରିକ କଳା, କାରିଗରୀର ଚମକ ଦେଖିବାକୁ ମିଳିବ । ସେହିପରି ୨୫୦ରୁ ଅଧିକ ହସ୍ତତନ୍ତ ଷ୍ଟଲରେ ବୁଣାକାରମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରସ୍ତୁତ ସାରା ଦେଶର ବିଭିନ୍ନ ବୟନ କଳା ପ୍ରଦର୍ଶିତ ଓ ବିକ୍ରି ହେବ । ଏଥିସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଉନ୍ନତ ଓ ଗୁଣାତ୍ମକ ଖାଦ୍ୟ ପରଷିବାକୁ ୨୦ରୁ ଅଧିକ ଖାଦ୍ୟ ଷ୍ଟଲ ଖୋଲାଯିବ । ଯାହାର ମଜା ଦର୍ଶକ ନେଇପାରିବେ । ଓଡ଼ିଆ ପିଠା, ମିଠାଠୁ ଆରମ୍ଭ କରି ଅନେକ ପ୍ରକାରର ଖାଦ୍ୟ ମିଳିବ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳା, କଳାକାର, ବୁଣାକାର, କାରିଗର ଏବଂ ସର୍ବସାଧାରଣ, କଳାପ୍ରେମୀ ତଥା ଗ୍ରାହକଙ୍କ ମଧ୍ୟରେ କେବଳ ବିନିମୟ ହେବନି ବରଂ ଏକ ପ୍ରକାରର ମିଳନ ହେବ । ଏହା ବୁଣାକାର ଓ କାରିଗରଙ୍କ ମଧ୍ୟରେ ସାଂସ୍କୃତିକ ଏକତାକୁ ଆହୁରି ଅଧିକ ସମୃଦ୍ଧ କରିପାରିବ ।