ଧୁମଧାମରେ ପାଳିତ ହେବ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ

ଶ୍ରଦ୍ଧାଞ୍ଜଳି ଓ ସାରସ୍କତ ସଭା ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି

ଭୁବନେଶ୍ୱର: ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହୋତ୍ସବ ୨୦୨୬ ଆସନ୍ତା ଅଗଷ୍ଟ ୨୮ ତାରିଖ ଶ୍ରାବଣ ପୂର୍ଣ୍ଣିମା ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରଠାରେ ଉତ୍ସାହର ସହ ପାଳିତ ହେବାକୁ ଯାଉଛି। ଗଙ୍ଗାଧର ମେହେର ସ୍ମୃତି କମିଟି, ଓଡ଼ିଶା ସାହିତ୍ୟ ଏକାଡେମୀ, ଗଙ୍ଗାଧର ମେହେର ପ୍ରତିଷ୍ଠାନ, ଉତ୍କଳ ସମ୍ମିଳନୀ, ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନ, ଭୁବନେଶ୍ୱର ମେହେର ଭୁଲିଆ ସମାଜ, ଇଣ୍ଟରନ୍ୟାସନାଲ ଥିଏଟର ଏବଂ ବରଗଡ଼ିଆ@ଭୁବନେଶ୍ୱର ଭଳି ସହଯୋଗୀ ଅନୁଷ୍ଠାନଗୁଡ଼ିକର ମିଳିତ ଆନୁକୂଲ୍ୟରେ ଏହି ବିଶାଳ ସାରସ୍ୱତ ଉତ୍ସବର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମର ନିର୍ଘଣ୍ଟ ଅନୁଯାୟୀ, ଅଗଷ୍ଟ ୨୮ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ କଳିଙ୍ଗ ଡାକ୍ତରଖାନା ଛକସ୍ଥିତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏହାପରେ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ୟୁନିଟ୍-୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ। ଏହି ସାରସ୍ୱତ ସମାରୋହରେ ପ୍ରାକ୍ତନ ନିର୍ବାଚନ ଆୟୁକ୍ତ ତଥା ସୁସାହିତ୍ୟିକ ସଞ୍ଜୀବ ଚନ୍ଦ୍ର ହୋତା ସଭାମୁଖ୍ୟ ଭାବେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଲପତି ପ୍ରଫେସର ନରେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଏବଂ ସୁସାହିତ୍ୟିକା ବିଜୟିନୀ ଶତପଥୀ ମୁଖ୍ୟ ବକ୍ତା ଭାବେ ମଞ୍ଚମଣ୍ଡନ କରିବେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ସଞ୍ଜୟ ଛୁଆଳସିଂହ ସ୍ୱାଗତ ଭାଷଣ ଦେବେ। ଏହି ଅବସରରେ ଗଙ୍ଗାଧର ମେହେର ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ସାମଲଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’, ବିଶିଷ୍ଟ ସାହିତ୍ୟିକ ଭୋଜରାଜ ସ୍ୱାଇଁଙ୍କୁ ‘ଗଙ୍ଗାଧର ମେହେର ପ୍ରତିଭା ସମ୍ମାନ’ ଏବଂ ଯୁବ ସାହିତ୍ୟିକ ବ୍ରଜମୋହନ ମେହେରଙ୍କୁ ‘କବିପୁତ୍ର ଭଗବାନ ମେହେର ସମ୍ମାନ’ରେ ସମ୍ମାନିତ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶସ୍ୱରୂପ କିସ୍ ମାନିତ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଲା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଙ୍ଗାଧର ଗୀତିରୂପ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ପ୍ରେମୀ, ସାହିତ୍ୟିକ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଗଙ୍ଗାଧର ମେହେର ସ୍ମୃତି କମିଟି ତଥା ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର କୁମାର ମେହେର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ର ଶେଖର ହୋତା ଆହ୍ୱାନ ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button