ସୁଧୀର ପାତ୍ର ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ଖୁଲାସା, ମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼

ଭୁବନେଶ୍ବର: ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ମାଡ଼ ସାଙ୍ଗକୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ସୁଧୀରଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏମକେସିଜି (MKCG) ମେଡିକାଲ କଲେଜର FMT ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶଙ୍କ ସୂଚନା ଅନୁଯାୟୀ, ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ଅତ୍ୟଧିକ ଭୟଭୀତ ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ସେ ପ୍ରାଣ ହରାଇଛନ୍ତି। ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ପୁଣି ଥରେ ତତ୍ପରତା ପ୍ରକାଶ କରିଛି। ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ଓ ସୂର୍ଯ୍ୟ ପ୍ରତାପ ସିଂଙ୍କ ସମେତ ସୁଧୀରଙ୍କ ନିଜ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଛି। ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ (ଗ୍ରାମୀଣ) କୋର୍ଟରେ ଏହି ଆବେଦନ କରାଯାଇଛି। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଝିଆରୀ ନିବେଦିତା ପୋଲିସକୁ ଦେଇଥିବା ବୟାନ ଏବଂ ସୁଧୀରଙ୍କ ଝିଅ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟରେ ଅନେକ ଅସଙ୍ଗତି ରହିଛି। ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏବେ ନିବେଦିତାର ମାଆ ଓ ମାମୁଙ୍କୁ ମଧ୍ୟ ଜେରା ପାଇଁ ଡକାଇଛି। ପ୍ରଥମ ପର୍ଯ୍ୟାୟ ଜେରାରେ ଅପହରଣ ଓ ହତ୍ୟା ପଛର କିଛି କାରଣ ସ୍ପଷ୍ଟ ହୋଇଥିଲେ ସୁଦ୍ଧା, ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button