ଏସ୍ଆଇ ସୁଜିତ କୁମାର ମହାନ୍ତ ଗିରଫ

ସମ୍ବଲପୁର: ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।ଭିଜିଲାନ୍ସକୁ ଦେଖି ସବ୍-ଇନ୍ସପେକ୍ଟର ଜଣକ ଦୌଡ଼ି ଯାଇ ଏକ ପୋଖରୀକୁ ଡେଇଁପଡ଼ିଥିଲେ। ତେବେ ପୋଖରୀରୁ ତାଙ୍କୁ ଉଦ୍ଧାର କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହ ଥାନା ପରିସରସ୍ଥ ରେଷ୍ଟରୁମରୁ ଆଉ ୧ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ଏହି ଘଟଣାକୁ ନେଇ ପୁଲିସ ବିଭାଗରେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।



