ଏସସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣା; ପୁଣି ଦୁଇ ମାସ ବୃଦ୍ଧି ହେଲା କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା । ପୁଣି ଦୁଇ ମାସ ବୃଦ୍ଧି ହୋଇଛି ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ. ଶର୍ମାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କମିଶନଙ୍କ ଦୁଇ ମାସ ବଢ଼ାଇଥିଲେ ସରକାର । କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୧୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ଵିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କୁ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ମାସ ସମୟ ଦିଆଯାଇଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନ ଏବେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ତାଙ୍କ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । ଗୃହ (ସ୍ୱତନ୍ତ୍ର) ବିଭାଗର ସ୍ୱତନ୍ତ୍ର ସଚିବ ଆର୍. କେ. ଶର୍ମାଙ୍କ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତିରେ କୁହାଯାଇଛି, “କମିଶନଙ୍କ ତଦନ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପୂର୍ବରୁ ତଦନ୍ତ ସମାପ୍ତି ପାଇଁ ୧୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ମାସ ବୃଦ୍ଧି କରିଛନ୍ତି । ଏଥିପାଇଁ ୧୫ ଜୁଲାଇ ପରିବର୍ତ୍ତେ ୧୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲର ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧୬ ମାର୍ଚ୍ଚ ତାରିଖରେ ଏସ୍‌ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଆଇସିୟୁରେ ଚିକିତ୍ସାଧୀନ ରୋଗୀମାନଙ୍କ ମଧ୍ୟରୁ ୧୦ ରୁ ଉର୍ଦ୍ଧ୍ଵଙ୍କ ପ୍ରାଣହାନି ଘଟିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button