ଗାଡ଼ି ଚାଳକଙ୍କ ପାଇଁ ଆଶ୍ବସ୍ତି: କମିଲା PUCC ଜରିମାନା

ଭୁବନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ ଗାଡ଼ି ମାଲିକ ଓ ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଓଡ଼ିଶା ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ ଲାଗୁ ହେଉଥିବା ଜରିମାନା ରାଶିକୁ ଯଥେଷ୍ଟ ହ୍ରାସ କରିଛନ୍ତି। ପୂର୍ବରୁ ଥିବା ୧୦ ହଜାର ଟଙ୍କାର କଠୋର ଜରିମାନାକୁ କୋହଳ କରାଯାଇ, ଯାନବାହାନର ପ୍ରକାର ଓ ଉଲ୍ଲଂଘନର ପୁନରାବୃତ୍ତି ଆଧାରରେ ୧ ହଜାରରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ସ୍ଲାବ୍ ଧାର୍ଯ୍ୟ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ସରକାରଙ୍କ ଦ୍ୱାରା ଘୋଷିତ ନୂତନ ନିୟମାବଳୀ ଅନୁଯାୟୀ, ଦୁଇଚକିଆ ଯାନ ବା ମୋଟରସାଇକେଲ ଏବଂ ତିନିଚକିଆ ଗାଡ଼ି ପାଇଁ ପ୍ରଥମ ଥର ପ୍ରଦୂଷଣ ନିୟମ ଭଙ୍ଗ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସେହିପରି ଚାରିଚକିଆ ଯାନ ଯଥା କାର୍, ଜିପ୍, ମୋଟର କ୍ୟାବ୍, ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବଡ଼ ବାଣିଜ୍ୟିକ ଓ ଭାରୀ ଯାନବାହାନ ପାଇଁ ପ୍ରଥମ ଥର ୩ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ସର୍ବାଧିକ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।



