ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ

ଭୁବନେଶ୍ୱର: ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ଏବଂ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରି ଚାଲିଛନ୍ତି। ସରକାର ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସମୟ ଅବଧି ପୂରଣ ହୋଇଛି, କମିଟି ମଧ୍ୟ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି କିନ୍ତୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ଏଯାଏଁ ସମାଧାନ ହୋଇ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ଜୁନ୍ ୨୯ ତାରିଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି। ସୂଚନାଥାଉକି, ସରକାର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଗଠନ କରିଥିବା କମିଟିର ଛଅ ମାସର ସମୟ ଅବଧି ଜୁନ୍ ମାସ ୬ ତାରିଖରେ ପୂରଣ ହୋଇଯାଇଛି। କମିଟି ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ପ୍ରଦାନ କରି ସାରିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସେ ଦିଗରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଦୁଃଖ ଓ ବିଡ଼ମ୍ବନାର ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନସଭାର ଅନୁମୋଦନରେ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ ଗଠିତ ସରକାରୀ କମିଟି ତାହାର ରିପୋର୍ଟ ପ୍ରଦାନ କରିସାରିଥିଲେ ମଧ୍ୟ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ହୋଇ ଚାଲିଛି । ଯାହାର ପ୍ରଭାବ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ପ୍ରତ୍ୟକ୍ଷଭାବରେ ପଡ଼ୁଛି।



