ଲକ୍ଷ୍ମୀବରାହ ମନ୍ଦିରରୁ ଖସିଲା ସିଂହ ମୂର୍ତ୍ତି: ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିସ୍ଥିତ ପୁରାଣ ପ୍ରସିଦ୍ଧ ଲକ୍ଷ୍ମୀବରାହ ମନ୍ଦିରରୁ ଆଜି ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମନ୍ଦିରର ୬୫ ଫୁଟ ଉଚ୍ଚତାରେ ସ୍ଥାପିତ ପ୍ରାଚୀନ ପଥର ସିଂହ ମୂର୍ତ୍ତିଟି ହଠାତ୍ ଭାଙ୍ଗି ତଳେ ଖସିପଡ଼ିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ ମନ୍ଦିର ବେଢ଼ାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍ରେ ପ୍ରବଳ ବର୍ଷା ହେଉଥିବା ସମୟରେ ମନ୍ଦିରର ଉପରି ଭାଗରୁ ଏହି ପଥର ସିଂହ ମୂର୍ତ୍ତିଟି ବିଚ୍ଛିନ୍ନ ହୋଇ ତଳ ଚଟାଣରେ ପଡ଼ି ଶତଧା ଭାଙ୍ଗି ଯାଇଥିଲା। ଘଟଣା ସମୟରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ହେଁ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ସୂଚନାଯୋଗ୍ୟ, ଏହି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଚିତ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ଆଜି ମୂର୍ତ୍ତି ଖସିବା ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ମନ୍ଦିରର ଯାଞ୍ଚ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପୂଜକ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।



