ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତ ସରକାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ ସ୍ଥାନ ଗ୍ରହଣ କରିବେ, ଯାହାଙ୍କ କାର୍ଯ୍ୟକାଳ ୨୦୨୬ ମେ ୩୦ରେ ଶେଷ ହେଉଛି। ସିଡିଏସ୍ ଭାବେ ନିଯୁକ୍ତି ସହିତ ସେ ସାମରିକ ବ୍ୟାପାର ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ। ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରମଣି ପୂର୍ବରୁ ସେନାର ଉପାଧ୍ୟକ୍ଷ (Vice Chief of Army Staff) ଏବଂ ଜାତୀୟ ସୁରକ୍ଷା ପରିଷଦର ସାମରିକ ପରାମର୍ଶଦାତା ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ନୂଆ ସିଡିଏସ୍ଙ୍କ ସହ ଭାରତୀୟ ନୌସେନାରେ ମଧ୍ୟ ନୂତନ ନିଯୁକ୍ତି ହୋଇଛି। ଆଡମିରାଲ କୃଷ୍ଣ ସ୍ୱାମୀନାଥନଙ୍କୁ ନୂଆ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ମେ ୩୧ ତାରିଖରେ ନିଜର ଦାୟିତ୍ୱ ଗ୍ରହଣ କରିବେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ। ବର୍ତ୍ତମାନ ସେ ମୁମ୍ବାଇରେ ପଶ୍ଚିମ ନୌସେନା କମାଣ୍ଡର ଭାବରେ କାର୍ଯ୍ୟରତ ଅଛନ୍ତି।



