ମହିଳା ଟି-୨୦ ବିଶ୍ୱକପ୍‌ରୁ ଭାରତ ବିଦା: ୬ ଓ୍ବିକେଟରେ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଭାରତର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରୁ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଏକ କର ବା ମର ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟରେ ପରାସ୍ତ ହେବା ସହ ଭାରତର ସେମିଫାଇନାଲ ଆଶା ଧୂଳିସାତ୍ ହୋଇଯାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ଅଧିନାୟିକା ହରମନପ୍ରୀତ କୌର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୭ ବଲ୍‌ରୁ ୫୬ ରନର ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତେବେ ଅନ୍ୟ ବ୍ୟାଟରଙ୍କ ପକ୍ଷରୁ ବଡ଼ ସହଯୋଗ ନମିଳିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୧୭୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ କିଛି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଅନୁଭବୀ ଏଲିସ ପେରୀ ଓ ଆଶଲେ ଗାର୍ଡନର ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରିଥିଲେ। ‘ପ୍ଲେୟର ଅଫ୍ ଦି ମ୍ୟାଚ୍’ ପେରୀ ୫୬ ରନ କରି ଆଉଟ୍ ହୋଇଥିବା ବେଳେ ଗାର୍ଡନର ଅପରାଜିତ ୫୩ ରନର ଇନିଂସ ଖେଳିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ୧୯ ଓଭରରେ ୪ ଉଇକେଟ ହରାଇ ୧୭୨ ରନ କରି ବିଜୟ ସୁନିଶ୍ଚିତ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button