ଉତ୍ତର ଓଡ଼ିଶାରେ ସଙ୍ଗୀନ ବନ୍ୟା ସ୍ଥିତି: ୫ ଲକ୍ଷରୁ ଅଧିକ ପ୍ରଭାବିତ, ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ବିପତ୍ତି। ଲଗାଣ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଉତ୍ତର ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସଙ୍ଗୀନ ରୂପ ନେଇଛି। ସ୍ଥିତି ବିଗୁଡ଼ୁଥିବାରୁ ରାଜ୍ୟ ସରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରିବା ସହ ୨.୩୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବିଶେଷ କରି ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଲଘୁଚାପ ଜନିତ ଭୀଷଣ ବର୍ଷା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ଓ ସେଗୁଡ଼ିକର ଉପନଦୀଗୁଡ଼ିକରେ ଜଳସ୍ତର ହ୍ରାସ ନପାଇ କ୍ରମାଗତ ବୃଦ୍ଧି ପାଉଛି। ଫଳରେ ଅନେକ ଜନବସତି ଜଳବନ୍ଦୀ ହୋଇପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ଏହି ବନ୍ୟାରେ ୪୯ଟି ବ୍ଲକ୍ ଓ ୫ଟି ସହରାଞ୍ଚଳର ୩୩୧ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୯୪୭ଟି ଗାଁର ପ୍ରାୟ ୫.୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଜଳ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୯୦ଟି ବିଶେଷ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି। ଏଥିରେ ୩୬ଟି ଓଡ଼୍ରାଫ୍ , ୭ଟି ଏନ୍‌ଡିଆର୍‌ଏଫ୍ ଏବଂ ୪୭ଟି ଅଗ୍ନିଶମ ସେବା ଦଳ ସାମିଲ ଅଛନ୍ତି। ସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି। ଗ୍ରାଉଣ୍ଡ ଜିରୋରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରିବା ସହ ରିଲିଫ୍ ଶିବିରଗୁଡ଼ିକର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ। ଏହାସହ ଜିଲ୍ଲା ପ୍ରଶାସନ, ODRAF, NDRF ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଚାଲିଥିବା ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button