ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ମୃତ୍ୟୁସଂଖ୍ୟା ୫, ଲକ୍ଷାଧିକ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି। ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପଟଣା ନିକଟସ୍ଥ କାଣୀ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ, କେନ୍ଦୁଝର ଆନନ୍ଦପୁର ରିଂ ରୋଡ୍‌ର ବାମପାର୍ଶ୍ବ ବନ୍ଧରେ ମଧ୍ୟ ୨୦ ମିଟରର ଘାଇ ସୃଷ୍ଟି ହୋଇଛି। ଅନ୍ୟପଟେ, ଛତିଶଗଡ଼ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରୁଥିବାରୁ ଉପକୂଳରେ ବର୍ଷାର ପ୍ରଭାବ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି। ତଥାପି ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ମହାନଦୀର କଟକ ନରାଜ ଓ ମୁଣ୍ଡୁଳୀଠାରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ବୈତରଣୀ ନଦୀ ଭଦ୍ରକର ଆଖୁଆପଦାଠାରେ ଏବଂ ଜଳକା ନଦୀ ବାଲେଶ୍ବରର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୫୪ ଫୁଟରେ ପହଞ୍ଚିଥିବା ବେଳେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବନ୍ୟା ଓ ବର୍ଷାରେ ବାଲେଶ୍ୱରରେ ୬୫୪ଟି, ମୟୂରଭଞ୍ଜରେ ୨୬୯ଟି ଓ କେନ୍ଦୁଝରରେ ୨୧୬ଟି ଘର ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button