ସାଉଦି ବିମାନବନ୍ଦରରେ ଡ୍ରୋନ୍ ହମ୍‌ଲା : ଜଣଙ୍କ ମୃତ୍ୟୁ ଓ ୮ ଆହତ

ନୂଆଦିଲ୍ଲୀ: ସାଉଦି ଆରବର ଦମ୍ମାମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ସାଉଦି ନାଗରିକଙ୍କପ୍ରାଣହାନି ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ବିମାନବନ୍ଦରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ସାଉଦି ଆରବର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଫ୍ଲାଇଟ୍ ଟ୍ରାକିଂ ସେବାଫ୍ଲାଇଟ ଥ୍ରାଡାର ୨୪ ର ତଥ୍ୟ ଅନୁଯାୟୀ, ବିମାନବନ୍ଦରକୁ ଆସୁଥିବା ସମସ୍ତ ବିମାନଗୁଡ଼ିକୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ସାଉଦି କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ପୂର୍ବରୁ ଏଭଳି ଆକ୍ରମଣ ପଛରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନଙ୍କର ହାତ ରହିଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ଅନ୍ୟ ଏକ ଘଟଣାରେ, ସାଉଦି ମିଳିତ ବାହିନୀ ପୂର୍ବାଞ୍ଚଳରେ ଚାରୋଟି ଡ୍ରୋନ୍ ଆକ୍ରମଣକୁ ସଫଳତାର ସହ ପଣ୍ଡ କରିଥିବା ଦାବି କରିଛି। ମାତ୍ର ଦେଶର ଏକ ତୈଳ କ୍ଷେତ୍ରରେ ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯିବାପରେ ଏହାର ଭଗ୍ନାବଶେଷ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସାଉଦି ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ନେପାଳ ଓ ଫିଲିପାଇନ୍ସର ନାଗରିକ ଥିବାବେଳେ ଆହତଙ୍କ ମଧ୍ୟରେ ପାକିସ୍ତାନ ଓ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ଚଳିତ ମାସ ଆରମ୍ଭରେ ମଧ୍ୟ ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ଆରାମକୋର ଏକ ପ୍ରଶାସନିକ କୋଠାରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button