ଆସନ୍ତାକାଲି ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର ମିଶ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଡକ୍ଟର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ସ୍ୱରକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ଏବଂ ସଂରକ୍ଷଣ କରିବା ପାଇଁ ସମର୍ପିତ ହୋଇ କାମ କରିଛନ୍ତି। ସେ ଭାରତର ଆଦିବାସୀ ଓ ଗ୍ରାମୀଣ ଜନସମାଜରେ ସନ୍ନିହିତ ଭାରତୀୟ ଜ୍ଞାନ ପ୍ରଣାଳୀକୁ ସ୍ୱର ଦେବା ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା ହାସଲ କରିଛନ୍ତି। ସେ ଆଦିବାସୀଙ୍କ ବିକାଶ ସହିତ ଆଦିବାସୀ ଭାଷା, ସଂସ୍କୃତି ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅନେକ ଆଦିବାସୀ ସଂଗଠନ ଏବଂ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଛନ୍ତି। ୧ ଏପ୍ରିଲ୍ ୧୯୫୨ ମସିହାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କଳାହାଣ୍ଡିରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପାଠପଢ଼ିଥିଲେ ଏବଂ ୧୯୮୭ ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେ ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସହକାରୀ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ। ସେ ଜନଜାତି ବହୁଭାଷୀ ଶିକ୍ଷା ଉପରେ ଧ୍ୟାନ ଦେଇ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଶିକ୍ଷା ପାଇଁ ରାଜ୍ୟ ସଂଯୋଜକ ଭାବରେ କାର୍ଯ୍ୟ କରିଥିଲେ।



