ଗୁରୁ ଦିବସ ଓ ଶିଶୁ ଦିବସରେ ଉତ୍ସବ ପାଳନ ସହ ଚାଲିବ ପାଠପଢ଼ା

ଭୁବନେଶ୍ବର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ଆଉ ବନ୍ଦ ରହିବ ନାହିଁ। ଏହି ବିଶେଷ ଦିବସଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ କରାଯିବା ସହ ନିୟମିତ ଭାବେ ଶିକ୍ଷାଦାନ ଚାଲୁ ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତିବର୍ଷ ଭଳି ସ୍କୁଲଗୁଡ଼ିକରେ ଗୁରୁ ଦିବସ ଓ ଶିଶୁ ଦିବସ ମହାସମାରୋହରେ ପାଳିତ ହେବ। ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମିଳିମିଶି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜନ କରିବେ। ତେବେ ଉତ୍ସବ ସମାପ୍ତ ହେବା ପରେ ପ୍ରତିଦିନ ଭଳି ସ୍ୱାଭାବିକ ଭାବେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହି ଦିନଗୁଡ଼ିକରେ କୌଣସି ଅତିରିକ୍ତ ବିଶ୍ରାମ କିମ୍ବା ଅଧା ଦିନ ଛୁଟି ମିଳିବ ନାହିଁ। ପୂର୍ବରୁ ଅନେକ ସ୍କୁଲରେ କେବଳ ଉତ୍ସବ ପାଳନ ପରେ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଉଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ସଠିକ୍ ସମୟ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବା ଏବଂ ଶିକ୍ଷାଦାନ ଦିବସର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସ୍କୁଲରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



