ଜନଗଣନା କର୍ମଚାରୀଙ୍କୁ ମିଳିବ ସୁରକ୍ଷା: ସରକାର ଜାରି କଲେ SOP, ବିରୋଧ କଲେ ହେବ ୩ ବର୍ଷ ଜେଲ୍

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା ତଥା ଗୃହ ପଞ୍ଜିକରଣ (House Listing) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ଥାନରେ ଗଣନାକାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ବିଧି ବା ଏସଓପି (SOP) ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ ଏନେଇ ସମସ୍ତ ଜିଲ୍ଲାପାଳ, ଏସପି ଏବଂ ମ୍ୟୁନିସିପାଲ କମିଶନରଙ୍କୁ ୮ ସୂତ୍ରୀ ଜରୁରୀ ନିର୍ଦ୍ଦେଶନାମା ପଠାଇଛନ୍ତି। ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କଲେ କିମ୍ବା ଅଧିକାରୀଙ୍କୁ ଆକ୍ରମଣ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ଗଣନାକାରୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ। ଜନଗଣନା ଏକ ଜାତୀୟ କାର୍ଯ୍ୟ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button