ବ୍ୟବସାୟୀଙ୍କୁ ଗଳାକାଟି ମାରିବା ପରେ ଫେରାର ବେଳେ ଓଲଟିଲା କାର୍‌, ଜଣେ ଅଭିଯୁକ୍ତ ମୃତ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କୁ ଗଳା କାଟି ନୃଶଂସ ଭାବେ ହତ୍ୟା କରିବା ପରେ କାର୍‌ରେ ଫେରାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିଯୁକ୍ତ। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ମୁଖ୍ୟ ହତ୍ୟାକାରୀର ମୃତ୍ୟୁ ଘଟିଥିବା ବେଳେ ତାର ଅନ୍ୟ ଦୁଇ ସହଯୋଗୀ ଗୁରୁତର ହୋଇଛନ୍ତି। ମୃତ ବ୍ୟବସାୟୀ ଜଣକ ପଡ଼ୋଶୀ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଦୁର୍ବୃତ୍ତ ତଲସରା ଥାନା ଅନ୍ତର୍ଗତ ସବ୍‌ଡେଗା ନିକଟରେ ଉକ୍ତ ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ସେମାନେ ଏକ କାର୍ ଯୋଗେ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ତେବେ ଭସ୍ମା ଥାନା ଅଞ୍ଚଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ମୁଖ୍ୟ ଅଭିଯୁକ୍ତର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟପଟେ କାର୍‌ରେ ଥିବା ତାର ଦୁଇ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button