ବସ ଭଡ଼ା ନବଢ଼ିଲେ ଚଳାଚଳ ବନ୍ଦ: ସରକାରଙ୍କୁ ୧୦ ଦିନର ମହଲତ ଦେଲା ରାଜ୍ୟ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର: ରାଜ୍ୟରେ ବସ ଭଡ଼ା ବୃଦ୍ଧି ଦାବି ନେଇ ଆରପାର୍ ମୁଡ୍ରେ ରାଜ୍ୟ ଘରୋଇ ବସ ମାଲିକ ସଂଘ। ସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୧୦ ଦିନ ମଧ୍ୟରେ ଯଦି ସରକାର ବସ ଭଡ଼ା ବୃଦ୍ଧି ଦିଗରେ କୌଣସି ପଦକ୍ଷେପ ନନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଡିଜେଲ ଦର ବୃଦ୍ଧି ପାଉଥିବାରୁ ବସ ଚଳାଇବା ଆଉ ସମ୍ଭବ ହେଉନାହିଁ। ଗତ ୨୫ ତାରିଖରୁ ଏହି ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ରାଜ୍ୟରେ ପ୍ରତିଦିନ ଯାତ୍ରୀ ପରିବହନ ପାଇଁ ପ୍ରାୟ ୧୪ ହଜାର ଘରୋଇ ବସ ଚଳାଚଳ କରୁଛି। ଏହି ବ୍ୟବସାୟ ସହ ପ୍ରାୟ ୮ ହଜାର ବସ ମାଲିକ ଏବଂ ୪ ଲକ୍ଷରୁ ଅଧିକ କର୍ମଚାରୀ ସେମାନଙ୍କ ଜୀବିକା ପାଇଁ ଜଡ଼ିତ ଅଛନ୍ତି। ଆର୍ଥିକ ସଙ୍କଟ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାର ବସ ଚଳାଚଳ ବନ୍ଦ ହୋଇ ଗ୍ୟାରେଜ୍ରେ ଠିଆ ହେଲାଣି। ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ପୂର୍ବରୁ ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ଦାବି ପୂରଣ କରନ୍ତୁ ବୋଲି ସଂଘ ଜୋରଦାର ଦାବି କରିଛି।



