ହର୍ମୁଜ୍‌ରୁ ହଟିବ ଅବରୋଧ !, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଦୀର୍ଘ ସଂଘର୍ଷ, କୂଟନୈତିକ ଆଲୋଚନା ଓ ଅନ୍ତର୍ଜାତୀୟ ମଧ୍ୟସ୍ଥତା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ସମ୍ପନ୍ନ ହୋଇଥିବା ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରବିବାର ସୋସିଆଲ ମିଡିଆରେ ଏହି ଘୋଷଣା କରି ସେ କହିଛନ୍ତି ଯେ, ଇରାନ ସହ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ବିଶ୍ୱ ବାଣିଜ୍ୟ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବ। ଟ୍ରମ୍ପ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଉପରେ ରହିଥିବା ଆମେରିକୀୟ ନୌସେନା ଅବରୋଧ ତୁରନ୍ତ ପ୍ରତ୍ୟାହାର କରାଯିବ ଏବଂ ବିଶ୍ୱର ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଜଳପଥ ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ। ତାଙ୍କ କହିବା ଅନୁସାରେ, ତେଲ ଓ ଗ୍ୟାସ ଯୋଗାଣ ପୁଣି ସାଧାରଣ ହେବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବଡ଼ ସ୍ୱସ୍ତି ମିଳିବ। ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ତେଲ ପରିବହନ ପଥମାନଙ୍କ ମଧ୍ୟରୁ ଗୋଟିଏ। ବିଶ୍ୱର ବଡ଼ ଅଂଶର କ୍ରୁଡ଼ ତେଲ ଏହି ପଥ ଦେଇ ପରିବହନ ହୋଇଥାଏ। ଚୁକ୍ତି ପରେ ଏହି ଜଳପଥ ଖୋଲା ରହିବାରୁ ତେଲ ମୂଲ୍ୟ ଉପରେ ଚାପ କମିବା ଓ ଅନ୍ତର୍ଜାତୀୟ ବାଣିଜ୍ୟରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦାବି କରିଛନ୍ତି ଯେ ଏହି ଶାନ୍ତି ପ୍ରକ୍ରିୟାରେ ତାଙ୍କ ଦେଶ ମଧ୍ୟସ୍ଥତାର ଭୂମିକା ନେଇଥିଲା। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ଆମେରିକା ଓ ଇରାନ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ସହମତ ହୋଇଛନ୍ତି। ତାଙ୍କ ଅନୁସାରେ, ଲେବାନନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ମଧ୍ୟ ଚୁକ୍ତିର ଆଲୋଚନାରେ ସାମିଲ ହୋଇଛି। ଶାହବାଜ ସରିଫଙ୍କ ଦାବି ଅନୁଯାୟୀ, ଆସନ୍ତା 19 ଜୁନ୍‌ରେ ସ୍ଵିଜରଲ୍ୟାଣ୍ଡରେ ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହେବ। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଫେବୃଆରୀ 28ରେ ଆରମ୍ଭ ହୋଇଥିଲା। ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ଇରାନର ସର୍ବୋଚ୍ଚ ନେତୃତ୍ୱକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ପରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ପରେ ଉଭୟ ପକ୍ଷ ଏପ୍ରିଲ 8, 2026 ରେ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button