ଟିଏମସିକୁ ବଡ଼ ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍ ବରାଇକ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରୁ ସବୁଠାରୁ ବଡ଼ ଖବର। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବରାଇକ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଖୁବ୍ ଶୀଘ୍ର ରାଜ୍ୟସଭାର ଅଧ୍ୟକ୍ଷ (ଉପରାଷ୍ଟ୍ରପତି)ଙ୍କୁ ଭେଟି ଆନୁଷ୍ଠାନିକ ଭାବେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବେ। ନିର୍ବାଚନୀ ପରାଜୟ ପରେ ତୃଣମୂଳ କଂଗ୍ରେସରେ ଅସନ୍ତୋଷ ତେଜିବାରେ ଲାଗିଛି। ପ୍ରକାଶ ଚିକ୍ ବରାଇକଙ୍କ ପୂର୍ବରୁ ଦଳର ଅନ୍ୟ ଦୁଇ ପ୍ରମୁଖ ରାଜ୍ୟସଭା ସାଂସଦ ସୁଷ୍ମିତା ଦେବ ଏବଂ ସୁଖେନ୍ଦୁ ଶେଖର ରାୟ ମଧ୍ୟ ଟିଏମସି ତଥା ନିଜ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି। ଜଣକ ପରେ ଜଣେ ପ୍ରଭାବଶାଳୀ ନେତା ଦଳ ଛାଡ଼ୁଥିବାରୁ ଏହା ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।



