ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି: ପ୍ରାଣ ହରାଇଲା ୧୧ ବର୍ଷର ନାବାଳିକା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଗୁରୁବାର ଏକ ଦୁଃଖଦ ତଥା ସ୍ୱାସ୍ଥ୍ୟ ସେବାର ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଜରୁରୀକାଳୀନ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଣେ ୧୧ ବର୍ଷର ନାବାଳିକା ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଜୀବନ ହରାଇଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସର ଚକା ପଞ୍ଚର ହେବା ଏବଂ ବିକଳ୍ପ ସ୍ପେୟାର ଚକାଟି ମଧ୍ୟ ଅଚଳ ଥିବା ଯୋଗୁଁ ଦୀର୍ଘ ୩ ଘଣ୍ଟା କାଳ ଗୁରୁତର ରୋଗୀ ଜଣକ ରାସ୍ତାରେ ଛଟପଟ ହୋଇ ଶେଷରେ ଆଖି ବୁଜିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତୁଲାପଡ଼ା ଅଞ୍ଚଳର ରିୟା ନାଏକ (୧୧) ନାମକ ଜଣେ ଛାତ୍ରୀଙ୍କୁ ହଠାତ୍ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଅକ୍ସିଜେନ ସହ ରିୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଅଣାଯାଉଥିବା ବେଳେ ବାଟରେ ଗୋହିରାପଦର ରେଳ ଫାଟକ ନିକଟରେ ଗାଡ଼ିର ଏକ ଚକା ପଞ୍ଚର ହୋଇଯାଇଥିଲା। ଆମ୍ବୁଲାନ୍ସରେ ଥିବା ଜରୁରୀକାଳୀନ ସ୍ପେୟାର (ଷ୍ଟେପ୍‌ନି) ଚକାଟି ପୂର୍ବରୁ ହିଁ ଖରାପ ରହିଥିଲା। ଆଉ ଏକ ବିକଳ୍ପ ଗାଡ଼ିର ବ୍ୟବସ୍ଥା ନଥିବାରୁ ଗୁରୁତର ଅବସ୍ଥାରେ ରିୟା ପ୍ରାୟ ୩ ଘଣ୍ଟା କାଳ ସେଠାରେ ଅଟକି ରହିଥିଲେ। ପରବର୍ତ୍ତୀ ସମୟରେ ଭବାନୀପାଟଣାରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା, ମାତ୍ର ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ସେଠାରେ ଡାକ୍ତର ରିୟାଙ୍କୁ ‘ମୃତ’ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ଓ ଆମ୍ବୁଲାନ୍ସ ସେବାର ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button