ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ମିଆମି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ଆମାଜନ୍‌ର ଏକ କାର୍ଗୋ (ପଣ୍ୟବାହୀ) ବିମାନ ରନୱେରୁ ବାହାରି ଯାଇ ନିଆଁରେ ଜଳିଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆମାଜନ୍ ପ୍ରାଇମ୍ ଏୟାର ପାଇଁ ‘୨୧ ଏୟାର’ ଦ୍ୱାରା ପରିଚାଳିତ ବୋଇଂ ୭୬୭-୩୦୦ ବିମାନଟି (ଫ୍ଲାଇଟ୍ ୭୫୯୮) ପୁଏର୍ଟୋ ରିକୋର ସାନ୍ ଜୁଆନ୍‌ରୁ ମିଆମି ଅଭିମୁଖେ ଆସିଥିଲା। ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ମିଆମି ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା ଏବଂ ସେଠାରେ ଥିବା ଏକାଧିକ ଯାନକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ଚାରିଆଡ଼େ ଘନ କଳା ଧୂଆଁ ଛାଇଯାଇଥିଲା। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ୬୦ରୁ ଉର୍ଦ୍ଧ୍ୱ ମିଆମି-ଡେଡ୍ ଫାୟାର୍ ରେସ୍କ୍ୟୁ ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମିଆମି-ଡେଡ୍ କାଉଣ୍ଟି ମେୟର ଡାନିଏଲା ଲେଭିନ୍ କାଭା ଘଟଣାରେ ୫ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ମିଆମି ଏୟାରପୋର୍ଟର ସମସ୍ତ ରନୱେ ଓ ଟ୍ୟାକ୍ସିୱେ ବନ୍ଦ କରାଯିବା ସହ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button