ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମବାଦସ୍ଥିତ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ’ ହସ୍ପିଟାଲରେ ବୁଧବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଯିବାରୁ ୧୫ ଜଣ ନବଜାତ ଶିଶୁଙ୍କର ସୋଚନୀୟ ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁର୍ଘଟଣା ସମୟରେ ୱାର୍ଡରେ ମୋଟ ୧୬ ଜଣ ଶିଶୁ ଥିବା ବେଳେ ଡାକ୍ତରମାନେ ମାତ୍ର ଜଣଙ୍କୁ ହିଁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଇସଲାମବାଦର ମୁଖ୍ୟ କମିସନର ସୋହେଲ ଆଶ୍ରଫଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୭ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉଦ୍ଧାର କାର୍ଯ୍ୟରେ ୬ଟି ଅଗ୍ନିଶମ ଗାଡ଼ି ଏବଂ ୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଡେପୁଟି କମିସନର ଜେନେରାଲଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି।



